ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ଛେଳି ଗୁହାଳରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ୬୦ ଗୋଟି ଛେଳି ଛୁଆଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁରାପଲ୍ଲୀ ଗ୍ରାମର ବି. ଗୋପୀ ପାତ୍ର ସବୁଦିନ ପରି ନିଜର ଛେଳି ଗୋଠ ଧରି ଚରେଇବା ପାଇଁ ଚାଲି ଯାଇଥିବା ବେଳେ ଛେଳି ଛୁଆମାନେ ଗୁହାଳରେ ଥିଲେ । ବି. ଗୋପି ପାତ୍ର ଗୁରାପଲ୍ଲୀ ଗ୍ରାମରେ ରହୁଥିବା ବେଳେ ନିକଟସ୍ଥ କଙ୍କେଇ ଗ୍ରାମରେ ଥିବା ନିଜ ବିଲ ମଧ୍ୟରେ ଛେଳି ଗୁହାଳ କରିଛନ୍ତି । ଛେଳି ଚରେଇ ସନ୍ଧ୍ୟାରେ ଗୁହାଳକୁ ଫେରି ଦେଖିବା ବେଳକୁ କେହି ଦୁର୍ବୃତ୍ତ ଗୁହାଳରେ ନିଆଁ ଲଗେଇ ଦେଇଥିଲା । ନିଆଁରେ ପୋଡି ଗୁହାଳରେ ଥିବା ୬୦ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କେତେ ଛେଳି ଛୁଆଙ୍କ ମୃତଦେହ ସେଠାରେ ପଡିଥିବା ବେଳେ ଆଉ କେତେକ ଛେଳି ଛୁଆଙ୍କୁ ବିଲୁଆ କୁକୁର ଟାଣି ନେଇ ଯାଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ପ୍ରଭାକର ଗନ୍ତା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି ।