ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତା ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମ୍ରେ ଆରମ୍ଭ ହେବ । ପ୍ରତିଯୋଗିତାରେ ଭାଗନେବା ପାଇଁ ବୁଧବାର ବର୍ମିଂହାମ୍ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା କରିଛନ୍ତି । ସମ୍ପୂର୍ଣ୍ଣ ଶକ୍ତି ଲଗାଇ ବିନା କୌଣସି ଚାପରେ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି । ଭର୍ଚୁଆଲ୍ କନ୍ଫରେନ୍ସ ମାଧ୍ୟମରେ କଥାବାର୍ତ୍ତା ଏହି ଆଲୋଚନା କରୁଥିବା ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ସମସ୍ତ ଖେଳାଳିଙ୍କୁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ସମସ୍ତେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଯେକୌଣସି ସ୍ଥିତିରେ ହେଉ ମଧ୍ୟ ପଦକ ନିଶ୍ଚିତ ଭାବେ ଜିତିବା । ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ କହିଥିଲେ, ଆପଣମାନେ ଭାରତୀୟ କ୍ରୀଡ଼ା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଉପସ୍ଥିତ । ଆଜି ଆପଣମାନଙ୍କ ପାଖରେ ସୁବିଧା ମଧ୍ୟ ଅଛି, ଦେଶରେ କ୍ରୀଡ଼ାର ପରିବେଶ ମଧ୍ୟ ରହିଛି । ଆପଣମାନଙ୍କ ପ୍ରଦର୍ଶନ ଭବିଷ୍ୟତର ଖେଳାଳିଙ୍କୁ ପ୍ରେରଣା ଦେବ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଫେରିଲେ ମିଶିକରି ଉତ୍ସବ ପାଳିବା ।
ପ୍ରତିଯୋଗିତାର ୧୯ ଟି ବିଭାଗର ୧୪୧ଟି ଇଭେଣ୍ଟ୍ରେ ୨୧୫ ଜଣିଆ ଭାରତୀୟ ଖେଳାଳି ଦଳ ଭାଗନେବ । ୧୦୧ ଖେଳାଳି ସିଙ୍ଗଲ୍ ଇଭେଣ୍ଟ୍ରେ ଭାଗ ନେବାକୁ ଥିବାବେଳେ ମହିଳା ଏବଂ ପୁରୁଷ ହକି ସହିତ ମହିଳା କ୍ରିକେଟ୍ ଟିମ୍ ମଧ୍ୟ କ୍ରୀଡ଼ାରେ ଭାଗନେବ । ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର୍ ହରିୟାଣାର ନୀରଜ ଚୋପ୍ରା ଦଳର ନେତୃତ୍ୱ ନେବେ । ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୬ ପଦକ ସହ ତୃତୀୟ ସ୍ଥାନରେ ରହିଥିଲା । ଭାରତରେ ଆୟୋଜିତ ଚେସ୍ ଅଲିମ୍ପିଆଡ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହିତ ଜୁଲାଇ ୨୮ ତାରିଖରୁ ଆରମ୍ଭ ହେବ ଏବଂ ଆଗାମୀ କିଛିଦିନ ବିଶ୍ୱ ଆଗରେ ଚମକ ଦେଖାଇବା ପାଇଁ ଭାରତୀୟ ଖେଳାଳିଙ୍କ ନିକଟରେ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଭର୍ଚୁଆଲ୍ କନ୍ଫରେନ୍ସ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆଥ୍ଲେଟ୍ ଅବିନାଶ ସାବ୍ଲେଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ସାବ୍ଲେ ନିକଟରେ ୱାର୍ଲ୍ଡ ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ କିପରି ଭାରତୀୟ ଆର୍ମିରେ ତାଙ୍କର କାର୍ଯ୍ୟକାଳ ଷ୍ଟିପଲ୍ଚେଜ୍ ରେସ୍ ପ୍ରସ୍ତୁତି ପାଇଁ ସହାୟତା କରିଥିବା ତାହା ଶେୟାର୍ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ୱେଟ୍ଲିଫ୍ଟର ଅଚିନ୍ତା ଶେଉଳି, ଶଟ୍ଲର୍ ତ୍ରିସା ଜଲିଙ୍କ ସହିତ ମଧ୍ୟ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ।