ପୁରୀ: ପବିତ୍ର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ସୂଚନା ଅନୁଯାୟୀ, ବୁଧବାର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୋଇଥିଲା ବନକଲାଗି । ଏହି ବନକଲାଗି ବା ଶ୍ରୀମୁଖ ସିଂହାର ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଶ୍ରଦ୍ଧାଳୁମାନେ ।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ଘ. ୪.୩୦ ରୁ ରାତ୍ର ଘ. ୮.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିଥିଲେ । ଏହି ବନକଲାଗି କାର୍ଯ୍ୟରେ ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର ଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା।