18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପେଗାସସ୍ ସ୍ପାଏୱେୟାର ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ କମିଟି ଗଠିତ

ପେଗାସସ୍ ସ୍ପାଏୱେୟାର ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ କମିଟି ଗଠିତ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ବହୁଚର୍ଚ୍ଚିତ ପେଗାସସ୍ ସ୍ପାଏୱେୟାର ମାମଲାର ଶୁଣାଣି କରିଛନ୍ତି । ଇସ୍ରାଏଲ ଦ୍ୱାରା ପ୍ରସ୍ତୁତ ଏହି ସ୍ପାଏୱେୟାରର ଅପବ୍ୟବହାର ପ୍ରସଙ୍ଗରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ଏକ ତିନିଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟମାନେ ହେଲେ ଡଃ ନବୀନ କୁମାର ଚୌଧୁରୀ, ଡଃ ପି.ପ୍ରଭାକରନ ଓ ଡଃ ଅଶ୍ୱିନ ଅନିଲ ଗୁମାସ୍ତେ । ଡଃ ଚୌଧୁରୀ ବର୍ତ୍ତମାନ ଗୁଜରାଟର ଗାନ୍ଧୀନଗରସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭର୍ସିଟିର ଡିନ୍ ଭାବେ କାର୍ଯ୍ୟ କରୁଥିବାବେଳେ ଡଃ ପ୍ରଭାକରନ କେରଳର ଅମୃତାପୁରୀସ୍ଥିତ ଅମୃତା ବିଶ୍ୱ ବିଦ୍ୟାପୀଠମରେ ପ୍ରଫେସର (ସ୍କୁଲ ଅଫ୍ ଇଂଜିନିୟରିଂ) ଓ ଡଃ ଗୁମାସ୍ତେ ବମ୍ବେ ଆଇଆଇଟି ପ୍ରଫେସରଭାବେ କାର୍ଯ୍ୟରତ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର.ଭି.ରବୀନ୍ଦ୍ରନ ଏହି କମିଟି କାର୍ଯ୍ୟକୁ ତଦାରଖ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ତଦାରଖ କାର୍ଯ୍ୟରେ ପୂର୍ବତନ ଆଇପିଏସ ଅଫିସର ଆଲୋକ ଯୋଶୀ ଓ ଡଃ ସନ୍ଦୀନ ଓବେରୟ ଜଷ୍ଟିସ ରବୀନ୍ଦ୍ରନଙ୍କୁ ସହଯୋଗ କରିବେ ବୋଲି ଜଣାପଡିଛି । ବ୍ୟକ୍ତିଗତ ସାମ୍ବିଧାନିକ ଅଧିକାର ଓ ଭାରତୀୟଙ୍କ ଉପରେ ବିଦେଶୀ ସଂସ୍ଥାର ଅନଧିକାର ନଜର ପ୍ରସଙ୍ଗରେ ବିଶେଷଜ୍ଞ କମିଟି ତଦନ୍ତ କରିବ ବୋଲି କୁହାଯାଇଛି । ପ୍ରତ୍ୟେକ ଭାରତୀୟଙ୍କ ବ୍ୟକ୍ତିଗତ ସ୍ୱାଧୀନତା ବଜାୟ ରହିବା ସମ୍ବିଧାନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋଲି ଜଷ୍ଟିସ ରମନା କହିଛନ୍ତି । କେବଳ ରାଷ୍ଟ୍ରୀୟ ନିରାପତ୍ତା କାରଣ ବ୍ୟତୀତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କ ସମ୍ପର୍କରେ ଗୁଇନ୍ଦାଗିରି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଏଭଳି ବେଆଇନ ଗୁଇନ୍ଦାଗିରି ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏହି ପ୍ରସଙ୍ଗରେ ଏକ ତଦନ୍ତ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସରକାରଙ୍କ ଦ୍ୱାରା ନିଯୁକ୍ତ କମିଟି ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ନେଇ ଏକାଧିକ ଶୁଣାଣି ହୋଇସାରିଥିବାବେଳେ ପ୍ରତ୍ୟେକଥର କେନ୍ଦ୍ର ସରକାର ଦେଶର ନିରାପତ୍ତା ପ୍ରସଙ୍ଗ ଉତ୍‌ଥାପନ କରି ଏହାର ଗୁରୁତ୍ୱକୁ ଏଡାଇ ଦେଉଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ପ୍ରତ୍ୟେକଥର କେନ୍ଦ୍ର ସରକାରଙ୍କୁ ଏଭଳି କୈଫିୟତ ମାଧ୍ୟମରେ ଦୋଷମୁକ୍ତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ସୂଚନାଯୋଗ୍ୟ ପେଗାସସ୍ ସ୍ପାଏୱେୟାର ଜରିଆରେ ଭାରତର ୩୦୦ରୁ ଊର୍ଦ୍ଧ୍ୱ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ମାର୍ଟ ଫୋନ୍ ହ୍ୟାକ୍ କରାଯାଇ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking