ଜୟପୁର: ପୁଣି ସୀମା ଟପିଲା ବର୍ବରତା । ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଯୌନ ପିପାସୁ । ଦୁଷ୍କର୍ମ କରିବା ପରେ ମୁହଁରେ ଏସିଡ୍ ଢାଳି ଫିଙ୍ଗିଦେଲେ । ରାଜସ୍ଥାନ କରୌଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । କୂଅ ଭିତରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ, କରୌଲି ବଲଘାଟ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଗତ ଗୁରୁବାର ଭୋର ସମୟରୁ ଯୁବତୀ ଜଣକ ଘରୁ ନିଖୋଜ ହୋଇଯାଇଥିଲେ । ଏହାର କିଛି ସମୟ ପରେ ପାଖ ଗାଁର ଲୋକେ କୂଅରୁ ପାଣି କାଢୁଥିବା ବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ ।
ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ମୃତଶରୀରର ମୁହଁ ପୋଡି ଯାଇଥିବାର ଦେଖାଯାଇଥିଲା । ଏହି ଖବର ପ୍ରଘଟ ପରେ ପୀଡିତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୀଡିତାଙ୍କ ମାଆ କହିଛନ୍ତି, ‘‘ବୁଧବାର ମଧ୍ୟରାତ୍ରିରେ ଝିଅ ବାଥରୁମ ଯିବାକୁ ଉଠିଥିଲା । ସେ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ଲଗାଇଥିବା ୩ରୁ ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ କାର ଭିତରକୁ ଟାଣି ନେଇ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ସୋସିଆଲ ମିଡିଆ ଜରିଆରେ କୂଅରୁ ଝିଅର ମୃତଦେହ ମିଳିବା ସମ୍ପର୍କରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ।’’