ବାରିପଦା : ଅନାହାରରେ ଅସହାୟ ଉଦ୍ଧାର ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପିଆର୍ଏମ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତ୨୫ ମାର୍ଚ୍ଚ୨୦୨୩ରେ ମୋରଡା ଥାନା ଅଧିନସ୍ଥ ଜୁଆଳିଭଙ୍ଗା ପଞ୍ଚାୟତ ଜୁଆଳିଭଙ୍ଗା ଗ୍ରାମ ପାଟରାସାହି ରାସ୍ତା ପାର୍ଶ୍ୱରେ ଭୈରଙ୍ଗିଶୋଳ ଗ୍ରାମର ସ୍ୱର୍ଗତ କାରୁମାର୍ଣ୍ଡିଙ୍କ ଅବିବାହିତା ୬୫ ବର୍ଷ ବୟସ୍କ ବୃଦ୍ଧା ଝାନମାର୍ଣ୍ଡି ଦୀର୍ଘ ଦିନ ଧରି ଖାଇବାକୁ ନପାଇ ଦୟନୀୟ ଅବସ୍ଥାରେ ପଡ଼ିରହିଥିଲେ । ଏହାଦେଖି କିଛି ସ୍ୱେଚ୍ଛାସେବୀ, ସାମ୍ବାଦିକ ଏବଂ ମୋରଡା ପୁଲିସ ୧୦୮ଯୋଗେ ପ୍ରଥମେ କିଶାନତାଣ୍ଡି ଏବଂ ଅବସ୍ଥା ଗୁରୁତର ହେବାରୁ ପିଆର୍ଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ ।
ଝାନମାର୍ଣ୍ଡିଙ୍କ ଭାଇ ସକେନ ମାର୍ଣ୍ଡି ହସ୍ପିଟାଲରେ ନିଜ ଭଉଣୀଙ୍କୁ ଦେଖାଶୁଣା କରିବା ପରିବର୍ତ୍ତେ ସେଠାରେ ଏକୁଟିଆ ଛାଡ଼ିଦେଇ କାହାରିକୁ କିଛି ନକହି ଘରକୁ ଫେରି ଆସିଥିଲେ । ୨୯ ମାର୍ଚ୍ଚ ୨୦୨୩ ଦିନ ୯ଟା ୧୦ ମିନିଟରେ ଝାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହସ୍ପିଟାଲ ତରଫରୁ ଏହି ସୂଚନା ପାଇ ସୂଚନା ଅଧିକାର କର୍ମୀ ମହେଶ୍ୱର ମହାନ୍ତି, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସରେନ, ମଦନମୋହନ ବିନ୍ଧାଣି, ଦୟାନିଧି ମହାନ୍ତ, ଓସା ଜିଲ୍ଲା ଆବାହକ ସନ୍ତୋଷ ମହାନ୍ତି ପ୍ରମୁଖ ହସ୍ପିଟାଲ ଯାଇ ମୃତ ଝାନଙ୍କ ଶବଦାହ ପାଇଁ ପରିବାରବର୍ଗଙ୍କୁ ଯୋଗାଯୋଗ କରି ଅପେକ୍ଷା କରି ଶେଷରେ ନିରାଶ ହୋଇଥିଲେ । ତାଙ୍କ ମୃତ ଦେହ ୨୪ଘଣ୍ଟା ଧରି ପଡ଼ିରହିଥିଲା । ଶେଷରେ ମୃତକଙ୍କ ପରିବାରକୁ ଠାବ କରି ଚିତ୍ରଡ଼ା ଫାଣ୍ଡିବାବୁ ଶବ ସଂସ୍କାର କରାଇଥିବା ସୂଚନା ମିଳିଛି । ଏହି ଘଟଣା ଦାରିଦ୍ର୍ୟତାର ବିକଳ ଚିତ୍ର ସାମ୍ନାକୁ ଆସିଥିବାରୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।