18.1 C
Bhubaneswar
Tuesday, November 19, 2024
Homeଓଡିଶା୨୫ରୁ ବହିବ ଉତ୍ତରା ପବନ : ଖସିବ ପାରଦ, ଆସିବ ଜାଡ଼

୨୫ରୁ ବହିବ ଉତ୍ତରା ପବନ : ଖସିବ ପାରଦ, ଆସିବ ଜାଡ଼

ଭୁବନେଶ୍ୱର:  ରାଜ୍ୟରେ ବର୍ଷା ପରିମାଣ କମିଛି । ଆସନ୍ତାକାଲିଠାରୁ ଆଉ ବିଶେଷ ବର୍ଷାର ସମ୍ଭାବନା ନାହିଁ, ପାଗ ଅଧିକାଂଶ ଶୁଖିଲା ରହିବ । ଆସନ୍ତାକାଲି ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । କିନ୍ତୁ ତା’ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଆସନ୍ତା ୨୫ ତାରିଖରୁ ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ ହେବ । କିନ୍ତୁ ଆସନ୍ତା ୨୨ ତାରିଖଠାରୁ ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପାରଦ ଖସିବା ଆରମ୍ଭ ହେବ ।

ପାରଦ ୧.୫ରୁ ୨ ଡିଗ୍ରୀ ଯାଏଁ ଖସିପାରେ, ତେଣୁ ଅକ୍ଟୋବର ଶେଷ ବେଳକୁ ହାଲୁକା ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ସୂଚନା ମୂତାବକ, ଗଞ୍ଜାମ ଓ ଗଜପତିରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । ପରେ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ । ୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ । ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୨୬ ରୁ ୨୮ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ ।

ଦିନ ଓ ରାତିର ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ଭୂ ବିଜ୍ଞନୀଙ୍କ ଆକଳନ ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସୃଷ୍ଟି ହୋଇଥିବା ଏକାଧିକ ଲଘୁଚାପ ସକାଶେ ଚଳିତବର୍ଷ ଶୀତ ଶୀଘ୍ର ଆସିବା ସମ୍ଭାବନା ରହିଛି । ଗତ ଅକ୍ଟୋବର ୫ ତାରିଖରୁ ଉତ୍ତର ପଶ୍ଚିମ ପଟେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବା ସହ ଉତ୍ତର ପଟୁ ପବନ ବହିବା ଆରମ୍ଭ ହୋଇଛି । ଯାହାକି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ପାଇଁ ପାଗ ଅନୁକୂଳ କରାଉଛି ।

ଆସନ୍ତା ୨୫ରୁ କ୍ରମାଗତ ଭାବେ ଉତ୍ତରା ପବନ ବହିବା ଫଳରେ ଓଡ଼ିଶାର ଉତ୍ତର ପଶ୍ଚିମ ପଟରୁ ଶୁଷ୍କ ବାୟୁ ପ୍ରବେଶ କରିବା ପରେ ଶୀତର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି । ରାଜ୍ୟରେ ଶୀତର ପ୍ରଭାବ  ସାଧାରଣତଃ ଦୀପାବଳି ପରେ ଅନୂଭୂତ ହୁଏ । ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ସକାଳୁ ତୂଷାର ପାତ ସହ ହାଲୁକା ଶୀତ ଅନୁଭୁତ ହୁଏ । କିନ୍ତୁ ଚଳିତବର୍ଷ ବାରମ୍ବାର ସୃଷ୍ଟ ଲଘୁଚାପ ସକାଶେ ଶୀତ ଶୀଘ୍ର ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking