ନୂଆଦିଲ୍ଲୀ: ଆହ୍ଲାବାଦ ଓ ମୋଗଲ ସରାଇ ପରେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଉ ଏକ ପ୍ରମୁଖ ସହରର ନାମ ପରିବର୍ତ୍ତନ ହେବାକୁ ଯାଉଛି । ପୁରାତନ ଅଲିଗଡ ସହରର ନାମକୁ ହରିଗଡରେ ନାମିତ କରିବାକୁ ଯୋଜନା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଲିଗଡ ମେୟର ପ୍ରଶାନ୍ତ ସଂଘଲ ସୋମବାର ଅଲିଗଡ ମ୍ୟୁନିସିପାଲ କର୍ପୋରେସନ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଆଗତ କରିଥିବାବେଳେ ଏହା ସର୍ବସମ୍ମତଭାବେ ଗୃହୀତ ହୋଇଯାଇଛି ।
ଯଦି ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ପ୍ରଦାନ କରନ୍ତି, ତେବେ ଏହା ଚୂଡାନ୍ତ ଅନୁମୋଦନ ନିମନ୍ତେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯିବ । ସେଠାରୁ ସ୍ୱୀକୃତି ମିଳିବାପରେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ବିଧିବଦ୍ଧ ବିଜ୍ଞପ୍ତିି ଜାରି କରିବାର ବ୍ୟବସ୍ଥା ରହିଛି । ଇତିପୂର୍ବରୁ ଉତ୍ତର ପ୍ରଦେଶ ସରକାର ଆହ୍ଲାବାଦର ନାମ ପ୍ରୟାଗରାଜ, ମୋଗଲ ସରାଇ ନାମ ଦୀନ ଦୟାଲ ଉପାଧ୍ୟାୟ ନଗର ଏବଂ ଫୈଜାବାଦ ଜିଲ୍ଲାର ନାମ ଅଯୋଧ୍ୟା ଜିଲ୍ଲାକୁ ପରିବର୍ତ୍ତନ କରିସାରିଛନ୍ତି ।