ଢେଙ୍କାନାଳ : ପୂର୍ବତଟ ରେଳପଥ ପକ୍ଷରୁ ଜନସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ଏକତରଫା ଭାବେ ବଳଦିଆବନ୍ଧ ନିକଟରେ ଥିବା ୫୫ନଂ ଜାତୀୟ ରାଜପଥରୁ ମହୁଲପଡା ଓ କୁରୁମଟାଙ୍ଗରକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ୩ କି.ମି. ଦୂରତ୍ୱରେ ଥିବା ରାଜଆଠଗଡ-ଯୋରନ୍ଦା ରୋଡ୍ ଦୋହରା ରେଳଲାଇନ୍ ଉପରେ ଏକ ଅଣ୍ଡର୍ ପାସ୍ ଜନସାଧାରଣଙ୍କ ପାଇଁ ପୂର୍ବ ଦିଗରେ ପ୍ରାୟ ଅଧକିଲୋମିଟର ଦୂରରେ କରାଯାଉଛି । ଯାହାକୁ ନେଇ ଅଚଂଳବାସୀ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଦେବା ସହ ଲିଖିତ ଆକାରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
କେବଳ ସେତିକି ନୁହେଁ ଉକ୍ତ ଅଂଚଳ ଅନେକ ସମୟରେ ହାତୀ ଯାତାୟତ କରିଥାନ୍ତି । ରେଳଲାଇନ୍ର ଉତର ଦିଗରେ ଥିବା ମହୁଲପଡା, କୁରୁମଟାଙ୍ଗର, ଖଜୁରିଆ, କୁରୁମଟାଙ୍ଗର ହରିଜନ ସାହି, ଜୁଆଙ୍ଗ ସାହି, ମୁଣ୍ଡାସାହି ଓ ବାଉଁଶଗୋଠ ସାହିର ଶତାଧିକ ଛାତ୍ରଛାତ୍ରୀ ବଳଦିଆବନ୍ଧ ହାଇସ୍କୁଲ୍କୁ ପାଠ ପଢିବା ପାଇଁ ଯାଇଥାନ୍ତି । ଏତଦ୍ବ୍ୟତୀତ ପ୍ରତ୍ୟହ ହଜାର ହଜାର ଲୋକ ପଂଚାୟତ କାର୍ଯ୍ୟାଳୟ ବଳଦିଆବନ୍ଧ, ବଳଦିଆବନ୍ଧ ସ୍ୱସ୍ଥ୍ୟକେନ୍ଦ୍ର, ଗୋବିନ୍ଦପୁର ଷ୍ଟେଟ୍ ବ୍ୟାଙ୍କ ଏବଂ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଅଣ୍ଡରପାସ୍କୁ ପୂର୍ବଦିଗ ପରିବର୍ତେ ପଶ୍ଚିମ ଦିଗରେ କରିବାକୁ ଦୃଢ ଦାବୀ ହେଉଛି ।