ମୟୁରଭଞ୍ଜ : ପ୍ରେମ ପାଇଁ ବିବାହିତା ମହିଳା ଘର ପରିବାର ଛାଡ଼ି ପଳାଇବା ଘଟଣା ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବଢ଼ିଚାଲିଛି। ଗତ ୩ ମାସ ଏହି ଧରଣର ୬ରୁ ଅଧିକ ମାମଲା ଥାନାରେ ପହଞ୍ଚିଛି। ଏଥର ଜଣେ ମହିଳା ନିଜ ୩ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ସ୍ବାମୀ। ତେବେ ଫେରାର ମହିଳାଙ୍କ ମା’ କିନ୍ତୁ ଏଥିପାଇଁ ଜ୍ବାଇଁକୁ ଦାୟୀ କରିବା ସହ ଝିଅକୁ ଖୋଜି ଆଣିବାକୁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୨ ବର୍ଷ ତଳେ ଦୁଇ ବିଧବା ମହିଳା ନିଜ ଏକମାତ୍ର ପୁଅ-ଝିଅଙ୍କର ବିବାହ କରାଇ ଦେଇଥିଲେ। ପରିବାର ଭଲରେ ଚାଲିଥିବା ବେଳେ ଉଭୟଙ୍କର ୩ଟି ସନ୍ତାନ ହୋଇଥିଲେ।
ତେବେ ଅର୍ଥ ରୋଜଗାର ପାଇଁ ସ୍ବାମୀ-ସ୍ତ୍ରୀ କିଛି ମାସ ଆଗରୁ ୩ ଛୁଆଙ୍କୁ ଜେଜେମା’ ପାଖରେ ଛାଡ଼ି ଦାଦନ ଖଟିବାକୁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ କାମ କରିବା ଭିତରେ ଅନ୍ୟ ଜଣେ ଯୁବକ ସହିତ ସ୍ତ୍ରୀର ସମ୍ପର୍କ ଗଢ଼ି ଉଠିଥିଲା ଓ ସେ ଉକ୍ତ ଯୁବକ ସହ କୁଆଡ଼େ ପଳାଇଥିବା ନେଇ ଘରକୁ ଫେରି ଜଣାଇଥିଲେ ସ୍ବାମୀ। ତେବେ ଝିଅ ନିଖୋଜ ହେବା ପଛରେ ଜ୍ବାଇଁର ହାତ ଥିବା କହି ଝିଅକୁ ଖୋଜି ଆଣିବାକୁ ଆଜି ବାଙ୍ଗିରିପୋଷି ଥାନାର ଦ୍ବାରସ୍ଥ ହୋଇଥିଲେ ଶାଶୂ ।