ନୂଆଦିଲ୍ଲୀ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନବଜାତକୁ ତାର ମାଆ ଗଳାକାଟି ହତ୍ୟା କରିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପୁଲିସ ନବଜାତ ଶିଶୁକୁ ହତ୍ୟା କରିଥିବା ହତ୍ୟାକାରୀ ମାଆ କୁ ଗିରଫ କରି ନେଇଛି । ଏହି ଲୋମଟାଙ୍କୁରା ଘଟଣା ରାଜଧାନୀର ମୁଣ୍ଡକାର ଟିକରିରେ ବାବା ହରିଦାସ କଲୋନିରେ ଘଟିଛି । ଏଠାରେ ବସବାସ କରୁଥିବା ଦମ୍ପତିଙ୍କର ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ସନ୍ତାନ ଜନ୍ମ ହେବାପରେ ମା’ ନିରାଶ ହୋଇଯାଇଥିଲା । କାରଣ ସେ ପୁତ୍ର ସନ୍ତାନ ଚାହୁଁଥିଲା । ତେଣୁ ରାଗରେ ସେ ନବଜାତକୁ ଗଳାକାଟି ହତ୍ୟା କରିଥିଲା । ଏହାଦେଖି ସଙ୍ଗେସଙ୍ଗେ ମୃତ ଶିଶୁର ବାପା ଥାନାକୁ ଯାଇ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଥିଲେ ।
ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଶିଶୁକୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରି ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟା ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ହରିୟାଣାର ବହାଦୁରଗଡ଼ରେ ମୃତନବଜାତ ଶିଶୁର ବାପା ଏକ ଜୋତା ତିଆରି କାରଖାନାରେ କାମ କରନ୍ତି । ୨୦୧୯ରେ ସେ ନିଜର ସ୍ତ୍ରୀ , ମା’ ଓ ଭାଇ ସହିତ ଦିଲ୍ଲୀ ଆସିଥିଲେ । ଏମାନଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ତାଙ୍କ ସ୍ତ୍ରୀ ଆଉ ଏକ ପୁତ୍ର ସନ୍ତାନ ଚାହୁଁଥିଲେ । କିନ୍ତୁ ନିକଟରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହେବାରୁ ସେ ନିରାଶ ହୋଇ ଯାଇଥିଲେ । ଶିଶୁକୁ ୯ଦିନ ହୋଇଥିବା ବେଳେ ଘରେ କେହି ନଥିବା ବେଳେ ମା’ ତାର ଗଳା କାଟି ହତ୍ୟା କରିଥିଲେ ।