ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍-୨୧ ପୁଣି ଉଡାଣ ଆରମ୍ଭ କରିଛି । ସୂଚନାଯୋଗ୍ୟ ମେ’ ୮ରେ ରାଜସ୍ଥାନର ହନୁମାନଗଡ ସହର ନିକଟରେ ଗୋଟିଏ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୩ ଜଣ ମହିଳାଙ୍କର ପ୍ରାଣହାନି ଘଟିଥିଲା । ପାଇଲଟ୍ ଆକାଶଛତା ସାହାଯ୍ୟରେ ଜୀବନ ବଞ୍ଚାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇ ଏବେମଧ୍ୟ ଚିକିତ୍ସାଧୀନ ଅଛନ୍ତି ।
ପୂର୍ବରୁ ମିଗ୍-୨୧ ନିୟମିତଭାବେ ଦୁର୍ଘଟଣାଗସ୍ତ ହେଉଥିବାରୁ ଏହାକୁ ‘ଫ୍ଲାଇଙ୍ଗ୍ କଫିନ୍’ ଆଖ୍ୟା ଦିଆଯାଇଛି । ରାଜସ୍ଥାନ ଦୁର୍ଘଟଣାପରେ ବାୟୁସେନା କର୍ତ୍ତୃପକ୍ଷ ସମସ୍ତ ମିଗ୍-୨୧ ବିମାନର ଉଡାଣକୁ ବାତିଲ କରିଦେଇଥିଲେ । ବର୍ତ୍ତମାନ ବାୟୁସେନା ନିକଟରେ ୫୦ଟି ମିଗ୍-୨୧ ବିମାନ ରହିଛି । ରୁଷ୍ରୁ କ୍ରୟ କରାଯାଇଥିବା ଏବଂ ପରବର୍ତ୍ତୀ ସମୟରେ ଭାରତରେ ନିର୍ମିତ ହୋଇଥିବା ମିଗ୍-୨୧ ବହୁ ପୁରୁଣା ବିମାନ ଭାବେ ବେଶ ପରିଚିତ ।
ତେବେ କ୍ରମାଗତ ଦୁର୍ଘଟଣା ଘଟିବାରୁ ୨୦୦୦ ମସିହାରେ ଆଧୁନିକୀକରଣ କରାଯାଇ ଏହାକୁ ମିଗ୍-୨୧ ବାଇସନ୍ ନାମରେ ନାମିତ କରାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା କ୍ଲିୟରାନ୍ସ ମିଳିବାପରେ ବୁଧବାରଠାରୁ ପୁଣି ମିଗ୍-୨୧ ବାଇସନ୍ ବିମାନର ଉଡାଣ ଆରମ୍ଭ ହୋଇଛି । ୨୦୨୫ ସୁଦ୍ଧା ମିଗ୍-୨୧ ବିମାନକୁ ସେବା ନିବୃତ କରିବାକୁ ବାୟୁସେନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇସାରିଛନ୍ତି । ଏହି ସମୟସୀମାରେ ପରିବର୍ତ୍ତନ ଘଟିବ ନାହିଁ ବୋଲି ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶାଲ ଅନିଲ ଚୋପ୍ରା ଆଶାବ୍ୟକ୍ତ କରିଛନ୍ତି । ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ସାଧାରଣତଃ ମିଗ୍-୨୧ ବିମାନ ବ୍ୟବହାର କରାଯାଇଥାଏ ।
ତେବେ ବାୟୁସେନାରେ ଧ୍ରୁବ ହେଲିକପ୍ଟର ଉପଲବ୍ଧ ହେବାପରଠାରୁ ମିଗ୍-୨୧ ଉପରେ ଏତେଟା ନିର୍ଭର କରାଯାଉନାହିଁ । ବାୟୁସେନାରେ ସାମିଲ ହେବାପରଠାରୁ ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ୱ ମିଗ୍-୨୧ ଧ୍ୱଂସ ପାଇଥିବାବେଳେ ୨୦୦ ପାଇଲଟ ପ୍ରାଣ ହରାଇଥିବା ପ୍ରକାଶ । ବୈଷୟିକ ଦୃଷ୍ଟିକୋଣରୁ ପୁରୁଣା ହୋଇଥିଲେ ସୁଦ୍ଧା ଏବେମଧ୍ୟ ମିଗ୍-୨୧ ବିମାନର ରଣକୌଶଳ ଚମତ୍କାର ରହିଆସିଛି । ସୂଚନାଯୋଗ୍ୟ ୨୦୧୯ ଫେବୃଆରୀରେ ବାଲାକୋଟ୍ ଆକ୍ରମଣ ସମୟରେ ପାକିସ୍ତାନ ବାୟୁସେନାର ଏକାଧିକ ବିମାନ ଭାରତୀୟ ଆକାଶସୀମା ଅତିକ୍ରମ ଉଦ୍ୟମ କରିଥିଲା ।
ଏହି ସମୟରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏହି ମିଗ୍-୨୧ ବିମାନ ସାହାଯ୍ୟରେ ପାକ୍ ଲଢୁଆ ବିମାନଗୁଡିକୁ ଘଉଡାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏପରିକି କ୍ଷେପଣାସ୍ତ୍ର ମାଡରେ ଗୋଟିଏ ଏଫ୍-୧୬ ବିମାନ ଧ୍ୱଂସ କରିବାପରେ ଅଭିନନ୍ଦନଙ୍କ ବିମାନ କ୍ଷେପଣାସ୍ତ୍ର ଆକ୍ରମଣରେ ନଷ୍ଟ ହୋଇଥିଲା । ଅଭିନନ୍ଦନ ଆକାଶଛତା ସାହାଯ୍ୟରେ ପାକିସ୍ତାନ ମାଟିରେ ଓହ୍ଲାଇବାପରେ ପାକ୍ ସେନା ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ । ତେବେ ଭାରତ ସରକାରଙ୍କ ଧମକ ପରେ ପାକିସ୍ତାନ ତାଙ୍କୁ ସସମ୍ମାନେ ଭାରତକୁ ପ୍ରତ୍ୟର୍ପଣ କରିବାକୁ ବାଧ୍ୟ ହୋଇଥିଲା ।