ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଥିବା ବେଳେ ଅନ୍ୟପଟେ ମୌସୁମୀ ନିମ୍ନ ଚାପ-ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରିଛି । ଏହା ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ମଧ୍ଯ ଦେଇ ପଶ୍ଚିମବଙ୍ଗର ବାଲୁଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ,ବୁଧବାର ଦିନ ଅପରାହ୍ନରେ ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଯାଜପୁର, ବାଲେଶ୍ବର, କନ୍ଧମାଳ, ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ତେଣୁ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ଆଗମୀ ୧୭ ଓ ୧୮ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି ।
ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରାଯାଉଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ । ୧୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।