ଅନୁଗୁଳ: ଅନୁଗୁଳ ପୁଲିସକୁ ମିଳିଛି ବଡ଼ ସଫଳତା । ନିଯୁକ୍ତି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ୨ ଅନ୍ତଃରାଜ୍ୟ ଠକ ସ୍ୱାମୀ – ସ୍ତ୍ରୀଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ସେମାନଙ୍କଠାରୁ ଟଙ୍କା ଓ ବହୁ ଆପତିଜନକ ସାମଗ୍ରୀ ଜବତ ହୋଇଛି । ପ୍ରକାଶ ଯେ, ଟାଟା କମ୍ପାନୀରେ ନିଯୁକ୍ତି ଦେବାକୁ କହି ଶତାଧିକ ବେକାର ଇଞ୍ଜିନିୟର ଛାତ୍ରଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି । ୨୦୨୧ ଫେବୃଆରୀ ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ଅନୁଗୁଳ ଜିଲ୍ଲାର କଲିଏରୀ, ଅନୁଗୁଳ, ନାଲକୋନଗର ଓ ତାଳଚେର ଥାନାରେ ଟାଟା କମ୍ପାନୀରେ ନିଯୁକ୍ତି କରାଇଦେବାକୁ କହି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା ।
ଏହି ମାମଲାର ତଦନ୍ତ କରି ପୁଲିସ ୯ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେଣୁ ଜିଲ୍ଲାର ବିଭିନ୍ନ ଥାନାକୁ ନିଯୁକ୍ତି ଠକେଇ ନେଇ ଅଭିଯୋଗ ଆସିଥିଲା । ଏହାର ତଦନ୍ତକରି ପୁଲିସ ରାଉରକେଲାର ପ୍ରତାପ କୁମାର ଶତପଥୀଙ୍କୁ ଗିରଫ କରିଥିଲା । ପ୍ରତାପଙ୍କ ସୂଚନା ଅନୁସାରେ ଏହି ରାକେଟର ମାଷ୍ଟରମାଇଣ୍ଡ ଦମ୍ପତିଙ୍କୁ ଖୋଜୁଥିଲା ପୁଲିସ । ଏହି ଦମ୍ପତି ଗିରଫ ଭୟରେ ସେମାନଙ୍କ ଜାଗା ଓ ମୋବାଇଲ ନଂ. ବଦଳାଇ ଚାଲିଥିଲେ । ତେଣୁ ଜିଲ୍ଲା ପୁଲିସ ତରଫରୁ କଲିଏରୀ ଓ ଅନୁଗୁଳ ଥାନାର କିଛି ଅଧିକାରୀ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ତେବେ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗ ଦୁର୍ଗାପୁରର ଚରତାଲୀ ମୁଖାର୍ଜୀ ଓରଫ ଦୀପିକା ବାନାର୍ଜୀ ଓ ତାଙ୍କ ସ୍ୱାମୀ ମ୍ରାଗଙ୍କ ଗୁପ୍ତା ଓରଫ ଶିଭ କୁମାରଙ୍କୁ ଗିରଫ କରାଯାଇଛି ।
ସେମାନେ ନିଜକୁ ଦୀପିକା ବାନାର୍ଜୀ ଟାଟା ଗ୍ରୁପର ଏଚଆର ଓ ଶିଭ କୁମାର ଟାଟା ଗ୍ରୁପ୍ର ଏଜିଏମ୍ଭାବେ ପରିଚୟ ଦେଇ ଠକେଇ କରୁଥିଲେ । ସୂଚନାଯୋଗ୍ୟ, ଏହି ଦମ୍ପତି ରାଉରକେଲା, ଦୁର୍ଗାପୁର ଓ ଉତ୍ତରପ୍ରଦେଶରେ ରହି ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୩ ଶହ ଜଣଙ୍କୁ ଠକିଛନ୍ତି । ସେଥିମଧ୍ୟରୁ କେବଳ ୫୫୦ ଜଣ ହେଉଛନ୍ତି ଓଡ଼ିଶାର, ୧୦ ଜଣ ଜମ୍ମୁ କାଶ୍ମୀରର, ୪୦ ଜଣ ଝାଡ଼ଖଣ୍ଡର, ୨ ଜଣ ଛତିଶଗଡ଼ର, ୨୫ ଜଣ ବିହାରର ଓ ୨୦ ଜଣ ପଶ୍ଚିମବଙ୍ଗର ବୋଲି ଜବତ କାଗଜପତ୍ରରୁ ଜଣାଯାଇଛି । ଏହିସବୁ ଠକେଇ ୨୦୧୭ରୁ ୨୦୨୧ ମଧ୍ୟରେ ହୋଇଛି । ସେମାନେ ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କା ୫୦ ଜଣଙ୍କଠାରୁ ଠକିଥିବା ତାଲିକାରୁ ଜଣାଯାଇଛି । ଅଭିଯୁକ୍ତଙ୍କଠାରୁ ୭ଟି ମୋବାଇଲ ଫୋନ୍, ୧୮ଟି କ୍ରେଡିଟ କାର୍ଡ, ୩ ଲକ୍ଷ ୯୭ ହଜାର ଟଙ୍କା, ଟାଟା ଷ୍ଟିଲର ଜାଲ ଷ୍ଟାମ୍ପ ଓ ସିଲ, ଲେଟର ହେଡ, ଲଫାପା, ଜାଲ ଆଇକାର୍ଡ ଓ ଗୋଟିଏ କାର ନଂ. (ଓଡି-୧୪ଆର-୭୭୭୪) ଜବତ କରାଯାଇଛି ।