ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ପଠାଯାଇଥିବା ଚନ୍ଦ୍ରଯାନ-୩ ବୁଧବାର ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଚନ୍ଦ୍ରଯାନ-୧ ଓ ଚନ୍ଦ୍ରଯାନ-୨ର ବିଫଳତା ପରେ ଏହି ଐତିହାସିକ ସଫଳତା ଭାରତୀୟ ମହାକାଶ ଗବେଷଣା ଅଭିଯାନକୁ ନୂତନ ଶିଖରରେ ପହଞ୍ଚାଇପାରିଛି । ତେବେ ଏହି ଅଭିଯାନକୁ ଶହେ ପ୍ରତିଶତ ସଫଳ କରିବା ପଛରେ ନିମ୍ନୋକ୍ତ ଟିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଜଣାପଡିଛି ।
ଏସ.ସୋମନାଥ (ଇସ୍ରୋ ଅଧ୍ୟକ୍ଷ):
ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ହେଉଛନ୍ତି ଏହି ଅଭିଯାନର ମୁଖ୍ୟ ବିନ୍ଧାଣି । ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍ରୁ ସ୍ପେସ୍ ଇଞ୍ଜିନିୟରଭାବେ ଡିଗ୍ରୀ ହାସଲ କରିଥିବା ସୋମନାଥ ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଥିବା ବାହୁବଳୀ ରକେଟ୍ (ମାର୍କ-୩)ର ଡିଜାଇନ ପ୍ରସ୍ତୁତ କରିଥିଲେ । ଉତ୍କ୍ଷେପଣ ପୂର୍ବରୁ ଏହି ରକେଟ୍କୁ ସମ୍ପୂର୍ଣ୍ଣଭାବେ ତ୍ରୁଟିଶୂନ୍ୟ କରିବା ଦାୟିତ୍ୱ ସେ ବହନ କରିଥିଲେ । ସଂସ୍କୃତ ଭାଷାରେ ସୋମନାଥଙ୍କ ଦଖଲ ଥିବାବେଳେ ସେ ‘ୟାନମ୍’ ନାମକ ଏକ ସଂସ୍କୃତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଉନ୍ନିକ୍ରିଷ୍ଣନ ନାୟାର (ନିର୍ଦ୍ଦେଶକ, ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର):
ଆଇଆଇଏସ୍, ବେଙ୍ଗାଲୁରୁରୁ ଏରୋନଟିକ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଉନ୍ନିକ୍ରିଷ୍ଣନ ବର୍ତ୍ତମାନ ଥିରୁଅନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି । ରକେଟ ସାଇନ୍ସ ଉପରେ ବିଶେଷ ଅଭିଜ୍ଞତା ଥିବା ଉନ୍ନିକ୍ରିଷ୍ଣନ ଆଗାମୀ ଦିନରେ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ଅଭିଯାନ (ଗଗନଯାନ)ର ନେତୃତ୍ୱ ନେଉଛନ୍ତି । ତାଙ୍କର ଦିଗଦର୍ଶନରେ ଚନ୍ଦ୍ରଯାନ-୩କୁ ନେଇଥିବା ମାର୍କ-୩ ରକେଟ ଶହେ ପ୍ରତିଶତ ସଫ ହୋଇଛି ।
ପି.ଭୀରାମୁଥୁଭେଲ (ପ୍ରକଳ୍ପ ନିର୍ଦ୍ଦେଶକ-ଚନ୍ଦ୍ରଯାନ-୩):
ଚେନ୍ନାଇ ଆଇଆଇଟିରୁ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିବା ଭୀରାମୁଥୁଭେଲ ବିଗତ ୪ ବର୍ଷ ଧରି ଚନ୍ଦ୍ରଯାନ-୩ର ସଫଳତା ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବାବେଳେ ଏହାର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ପୂର୍ବରୁ ଚନ୍ଦ୍ରଯାନ-୨ ଓ ମଙ୍ଗଳଯାନ ଅଭିଯାନ ସହ ସେ ସଂପୃକ୍ତ ଥିଲେ । ୨୦୧୯ରେ ଲ୍ୟାଣ୍ଡର ‘ବିକ୍ରମ’ ବିଫଳ ହେବାପରେ ଏହାକୁ ଅଧିକ ଶକ୍ତିଶାଳୀ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।
କେ.କଳ୍ପନା (ପ୍ରକଳ୍ପ ନିର୍ଦ୍ଦେଶକ, ଚନ୍ଦ୍ରଯାନ-୩):
ଏରୋସ୍ପେସ୍ ଇଞ୍ଜିନିୟର କେ.କଳ୍ପନା ହେଉଛନ୍ତି ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ । କୋଭିଡ୍ ପରେ ଚନ୍ଦ୍ରଯାନ-୩ର କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅବଦାନ ବାସ୍ତବିକ ପ୍ରଶଂସନୀୟ । ପୂର୍ବରୁ କଳ୍ପନା ଚନ୍ଦ୍ରଯାନ-୨ ଓ ମଙ୍ଗଳଯାନ ଅଭିଯାନ ସହ ଜଡିତ ଥିଲେ ।
ଏମ.ବନିତା (ନିର୍ଦ୍ଦେଶିକା, ୟୁ ଆର ରାଓ ସାଟେଲାଇଟ୍ ସେଣ୍ଟର):
ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଇଞ୍ଜିନିୟର ଏମ.ବନିତା ଇସ୍ରୋର ଚନ୍ଦ୍ର ଅଭିଯାନରେ ନେତୃତ୍ୱ ନେବାରେ ପ୍ରଥମ ମହିଳା ବୋଲି ଜଣାପଡିଛି । ସେ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶିକା ଦାୟିତ୍ୱ ତୁଲାଇଥିଲେ । ଏହି ଅଭିଜ୍ଞତାକୁ ପାଥେୟ କରି ଇସ୍ରୋ ଟିମ୍ ଚନ୍ଦ୍ରଯାନ-୩ର ସଫଳତା ହାସଲ କରିପାରିଛି ।
ଏମ.ଶଙ୍କରନ୍ (ନିର୍ଦ୍ଦେଶକ, ୟୁ ଆର ରାଓ ସାଟେଲାଇଟ୍ ସେଣ୍ଟର)
ବେଙ୍ଗାଲୁରୁସ୍ଥିତ ୟୁ.ଆର.ରାଓ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଥିବା ଏମ.ଶଙ୍କରନଙ୍କୁ ଇସ୍ରୋର ପାୱାରହାଉସ୍ କୁହାଯାଇଥାଏ । କୌଣସି ସାଟେଲାଇଟ୍ କିମ୍ବା ମହାକାଶଯାନର ପାୱାର ସିଷ୍ଟମକୁ ଶକ୍ତିଶାଳୀ କରିବା ଜ୍ଞାନ ତାଙ୍କ ନିକଟରେ ଗଚ୍ଛିତ ରହିଛି । ତିନି ଦଶନ୍ଧି ଧରି ସେ ସାଟେଲାଇଟ୍ ନିର୍ମାଣ ପ୍ରକ୍ରିୟାରେ ନିଜକୁ ସାମିଲ କରିଆସୁଛନ୍ତି । ନ୍ୟୁକ୍ଲିୟର ଫିଜିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶଙ୍କରନ୍ ପୂର୍ବରୁ ଚନ୍ଦ୍ରଯାନ-୧, ମଙ୍ଗଳଯାନ ଓ ଚନ୍ଦ୍ରଯାନ-୨ ସହ ସଂପୃକ୍ତ ଥିଲେ ।
ଭି.ନାରାୟଣନ୍ (ଲିକୁଇଡ୍ ପ୍ରପଲ୍ସନ୍ ସିଷ୍ଟମ ସେଣ୍ଟର):
ମହାକାଶଯାନ ପାଇଁ ଲିକୁଇଡ୍ ପ୍ରପଲ୍ସନ୍ ଇଞ୍ଜିନ ନିର୍ମାଣ କରିବାରେ ଭି.ନାରାୟଣ ବେଶ ପାରଙ୍ଗମ । ତାଙ୍କରି ନେତୃତ୍ୱରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳ ଅବତରଣ ସମ୍ଭବ ହୋଇପାରିଥିବା କୁହାଯାଇଛି । ଖଡଗପୁର ଆଇଆଇଟିରୁ ଶିକ୍ଷାପ୍ରାପ୍ତ ନାରାୟଣନ୍ ବର୍ତ୍ତମାନ ଥିରୁଅନନ୍ତପୁରମଠାରେ ଥିବା ଲିକୁଇଡ୍ ପ୍ରପଲ୍ସନ୍ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି । ଇସ୍ରୋ ତରଫରୁ ବ୍ୟବହୃତ ଅଧିକାଂଶ ରକେଟ ପାଇଁ ସେ କାୟୋଜେନିକ୍ ଇଞ୍ଜିନ ନିର୍ମାଣ କରିସାରିଛନ୍ତି ।
ବି.ଏନ୍.ରାମକ୍ରିଷ୍ଣା (ନିର୍ଦ୍ଦେଶକ ଇସ୍ଟ୍ରାକ୍)
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଫଳରେ ରାମକ୍ରିଷ୍ଣାଙ୍କ ଅବଦାନ ବେଶ ପ୍ରଶଂସନୀୟ । ଲ୍ୟାଣ୍ଡର ‘ବିକ୍ରମ’କୁ କମାଣ୍ଡ ପଠାଇବା କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସେ ବର୍ତ୍ତମାନ ଇସ୍ଟ୍ରାକ୍ (ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ୍ କମାଣ୍ଡ୍ ନେଟ୍ୱାର୍କ) ନିର୍ଦ୍ଦେଶକଭାବେ କାର୍ଯ୍ୟରତ ଅଛନ୍ତି । ବେଙ୍ଗାଲୁରୁ ଉପକଣ୍ଠରେ ସ୍ଥାପିତ ୩୨ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଭାରତର ବୃହତ୍ତମ ଡିସ୍ ଆଣ୍ଟେନା (ହୁମୋଙ୍ଗୋସ୍)ରୁ ବିକ୍ରମକୁ କମାଣ୍ଡ ପଠାଯାଉଥିଲା ।
ଇସ୍ରୋର ପରବର୍ତ୍ତୀ ଅଭିଯାନ
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ପକ୍ଷରୁ ଆଗାମୀ ଦିନରେ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । ଏଗୁଡିକ ମଧ୍ୟରେ ଆଦିତ୍ୟ-ଏଲ୧, ଆର୍ଥ ଅବ୍ଜର୍ଭେସନ ସାଟେଲାଇଟ୍, ଗଗନଯାନ ଓ ପୋଲାରିମେଟ୍ରି ଅଭିଯାନ ଅନ୍ୟତମ ।
ଆଦିତ୍ୟ ଏଲ୧: ଚନ୍ଦ୍ର ଅଭିଯାନ ସଫଳ ହେବାପରେ ଇସ୍ରୋ ବର୍ତ୍ତମାନ ସୂର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଯାଉଛି । ଚଳିତବର୍ଷ ସେପ୍ଟେମ୍ବରରେ ସୂର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆଦିତ୍ୟ ଏଲ୧ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂର ସୂର୍ଯ୍ୟ-ପୃଥିବୀ ସିଷ୍ଟମର ହାଲୋ କକ୍ଷପଥରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କରାଯିବ । ଏହି କକ୍ଷପଥରେ ରହିଥିବା ଉପଗ୍ରହ ବିନା ଅସୁବିଧାରେ ସୂର୍ଯ୍ୟ ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ କରିପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଆର୍ଥ ଅବ୍ଜର୍ଭେସନ ସାଟେଲାଇଟ୍:
ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହ ମିଳିତ ହୋଇ ଇସ୍ରୋ ମହାକାଶରେ ଏକ ଶକ୍ତିଶାଳୀ ଆର୍ଥ ଅବ୍ଜର୍ଭେସନ ସାଟେଲାଇଟ୍ ସ୍ଥାପନ କରିବାକୁ ଯାଉଛି । ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଇସ୍ରୋ ପରିସରରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ୨୦୨୪ ପ୍ରାରମ୍ଭରେ ଏହା ପ୍ରବେକ୍ଷଣ କରାଯିବାର ଯୋଜନା ରହିଛି । ନିସାର (ନାସା-ଇସ୍ରୋ ସିନ୍ଥେଟିକ୍ ଆପେରଚର ରେଡାର) ଦ୍ୱାରା ପୃଥିବୀପୃଷ୍ଠରେ ଥିବା ଭୂମି ଓ ବରଫ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ଏହି ଉପଗ୍ରହ ଜରିଆରେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲକ୍ଷୟ, ତରଳୁଥିବା ଗ୍ଲେସିୟର, ଆଗ୍ନେୟଗିରି ଏବଂ ଭୂମିକମ୍ପ ପ୍ରସଙ୍ଗକୁ ସଠିକ୍ଭାବେ ମନିଟର କରାଯାଇପାରିବ ।
ଗଗନଯାନ:
ଇସ୍ରୋ ପକ୍ଷରୁ ପ୍ରଥମ ଥର ମହାକାଶକୁ ମାନବ ପଠାଇବା କାର୍ଯ୍ୟ ହାତକୁ ନିଆଯାଇଛି । ୨୦୨୦ରେ ଗଗନଯାନ ଅଭିଯାନ ଆରମ୍ଭ କରାଯାଇଥିଲେ ସୁଦ୍ଧା କୋଭିଡ୍ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ତିନିଦିନିଆ ଏହି ଅଭିଯାନରେ ୩ ଜଣ ମହାକାଶଚାରୀଙ୍କୁ ୪୦୦ କିମି ଊର୍ଦ୍ଧ୍ୱ କକ୍ଷପଥକୁ ନିଆଯିବାପରେ ପୁଣି ସେମାନଙ୍କୁ ଫେରାଇ ଅଣାଯିବ ବୋଲି କୁହାଯାଇଛି ।
ପୋଲାରିମେଟ୍ରି ମିଶନ:
ଜଟିଳ ପରିସ୍ଥିତିରେ ମହାକାଶରୁ ଉତ୍ପନ୍ନ ଉଜ୍ଜ୍ୱଳ ଏକ୍ସ-ରେର ଡାଇନାମିକ୍ସକୁ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ପୋଲାରିମେଟ୍ରି ମିଶନ ହାତକୁ ନିଆଯାଇଛି । ଚଳିତବର୍ଷ ଶେଷଆଡକୁ କିମ୍ବା ୨୦୨୪ ପ୍ରାରମ୍ଭରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ମହାକାଶରେ ସୃଷ୍ଟି ହେଉଥିବା ବ୍ଲାକ୍ହୋଲ୍, ନ୍ୟୁଟ୍ରନ୍ ଷ୍ଟାର, ଆକ୍ଟିଭ୍ ଗାଲାଟିକ୍ ନ୍ୟୁକ୍ଲେଇ ପଲ୍ସାର ୱିଣ୍ଡ ନେବୁଲା ଉପରେ ଅଧିକ ସୂଚନା ମିଳିପାରିବ ।
୬୧୫ କୋଟି ଖର୍ଚ୍ଚ, ୧୦୦୦ ବୈଜ୍ଞାନିକ ଓ ଇଞ୍ଜିନିୟର ନିୟୋଜିତ
ଚନ୍ଦ୍ରଯାନ-୩ ମିଶନ୍ ପାଇଁ ମୋଟ ୬୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମଧ୍ୟରୁ ୨୫୦ କୋଟି ଟଙ୍କା ପ୍ରପଲ୍ସନ୍ (ସଞ୍ଚାଳନ) ପାଇଁ ବ୍ୟୟ କରାଯାଇଥିବା ବେଳେ ଅତିରିକ୍ତ ଭାବେ ୩୬୫ କୋଟି ଟଙ୍କା ଏହାର ଲଞ୍ଚ୍ ପାଇଁ ବ୍ୟବହାର କରାଯାଇଛି । ସେହିପରି ଚନ୍ଦ୍ରଯାନ-୩ର ସଫଳତା ପଛରେ ପ୍ରାୟ ୧୦୦୦ ବୈଜ୍ଞାନିକ ଓ ଇଞ୍ଜିନିୟର୍ ସକ୍ରିୟ ଭାବେ ନିୟୋଜିତ ଥିଲେ ।