ଦେବଗଡ଼: ତିଳେଇବଣି ବିଡିଓଙ୍କୁ ମାଡ଼ ମାରି ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଜିଲ୍ଲା ସେସନ୍ ଜଜ୍ । ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେବେ ଗତକାଲି ବିଡିଓଙ୍କୁ ଗିରଫ ଦାବି ଏବଂ ବିଧାୟକଙ୍କ ଗିରଫ ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଏସ୍ପି ଅଫିସ୍ ଆଗରେ ଧାରଣା ଦିଆଯାଇଥିଲା । ଏହାସହ ରାଜ୍ୟପାଳଙ୍କୁ ଚିଠି ପ୍ରଦାନ କରାଯାଇଥିଲା ।
ସୂଚନା ଯୋଗ୍ୟ ଗତ ୧ ତାରିଖ ଦିନ ତିଳେଇବଣି ବିଡିଓଙ୍କ ସହିତ କୌଣସି କାରଣକୁ ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବଚସା ହୋଇଥିଲା । କ୍ରମଶଃ ଏହି ବଚସା ଉଗ୍ରରୂପ ନେଇଥିବାବେଳେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଡିଓ ଏ ସମ୍ପର୍କରେ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ବେଳେ ବିଧାୟକ ପାଲଟା ଅଭିଯୋଗ କରିଥିଲେ । ହେଲେ ପୋଲିସ୍ କେବଳ ବିଡିଓଙ୍କ ଅଭିଯୋଗକୁ ଗ୍ରହଣ କରି ଏବଂ ତାଙ୍କ ଅଭିଯୋଗ ଆଧାରରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ଏହାକୁ ପ୍ରତିବାଦ କରି ତଥା ପୋଲିସ୍ର ପକ୍ଷପାତିତା ଅଭିଯୋଗରେ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଏସ୍ପି ଅଫିସ୍ ଆଗରେ ଧାରଣା ସମେତ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆଜି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି ।