ନୂଆଦିଲ୍ଲୀ : ଗୌତମ ବୁଦ୍ଧ ନଗର (ନୋଏଡା)ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଦର୍ଶାଉଛି ଯେ ପ୍ରଯୁକ୍ତିବିଦ୍ୟା ସହିତ ପୋଲିସର ତତ୍ପରତାକୁ । ନୋଏଡା ପୋଲିସ ଜେୱାର ପୋଲିସ ଷ୍ଟେସନ ଅଞ୍ଚଳରେ ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ପହଞ୍ôଚ ଜଣେ ୨୪ ବର୍ଷୀୟ ଯୁବକଙ୍କ ପାଖରେ। ଯିଏକି ଡିପ୍ରେସନ ଯୋଗୁଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମୃତ୍ୟୁ ମୁହଁରୁ ବଞ୍ଚାଇଛନ୍ତି ପୋଲିସ। ଏହି ଉଦ୍ଧାର କାର୍ଯ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏବଂ ମେଟାର ସତର୍କତା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ରିପୋର୍ଟ ଅନୁଯାୟୀ, ଜେୱାର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ୨୪ ବର୍ଷୀୟ ଯୁବକ ଜଣେ ଶ୍ରମିକ ଭାବରେ କାମ କରନ୍ତି। କିଛି ସମୟ ପୂର୍ବରୁ, ସେ ଜଣେ ଯୁବତୀଙ୍କ ସହ ବନ୍ଧୁତା କରିଥିଲେ। ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏବଂ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ପ୍ରତ୍ୟାଖ୍ୟାନକୁ ସହ୍ୟ କରି ନ ପାରି ଯୁବକ ଜଣକ ଗଭୀର ଡିପ୍ରେସନରେ ପଡ଼ିଗଲେ। ୨୦୨୬ ଜୁନ୍ ୧୨ ରାତିରେ ସେ ନିଦ ବଟିକା ଖାଇଦେଲେ। ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ କ୍ୟାପସନ ଥିଲା: “ଏହା ମୋର ଶେଷ ଭିଡିଓ; କିଏ ଜାଣେ ମୁଁ ଆଉ ଏଠାରେ ରହିବି କି ନାହିଁ।”
ରାତି ୧୨:୧୨ ରେ ମେଟାର ଆଲଗୋରିଦମ ଆତ୍ମହତ୍ୟା ଉଦ୍ଦେଶ୍ୟ ସୂଚାଉଥିବା ପୋଷ୍ଟଟିକୁ ଚିହ୍ନଟ କଲା। କମ୍ପାନୀ ତୁରନ୍ତ ୟୁପି ପୋଲିସ ମହାନିର୍ଦ୍ଦେଶାଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ ଇମେଲ୍ ଆଲର୍ଟ ପଠାଇଲା। ସେଣ୍ଟର ତୁରନ୍ତ ଯୁବକଙ୍କ ସ୍ଥାନ ଗୌତମ ବୁଦ୍ଧ ନଗର କମିଶନରେଟର ମିଡିଆ ସେଲକୁ ପଠାଇଲା। ସୂଚନା ପାଇବା ପରେ, ପୋଲିସ କମିଶନର ଲକ୍ଷ୍ମୀ ସିଂହ ଜେୱାର ପୋଲିସ ଷ୍ଟେସନରୁ ଏକ ଦଳକୁ ଘଟଣାସ୍ଥଳକୁ ପଠାଇଲେ। ପୋଲିସ ଦଳ ମାତ୍ର ପାଞ୍ଚ ମିନିଟରେ ଯୁବକଙ୍କ ପାଖରେ ପହଞ୍ôଚ ପାରିଥିଲା। ୟୁପି ପୋଲିସ ଏବଂ ମେଟା ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତିନାମା ଯୋଗୁଁ ଏହା ସବୁ ସମ୍ଭବ ହୋଇପାରିଛି। ୨୦୨୨ ମସିହାରୁ, ମେଟା ଏବଂ ୟୁପି ପୋଲିସ ମଧ୍ୟରେ ଏକ ସିଷ୍ଟମ କାର୍ଯ୍ୟକାରୀ ହୋଇଛି ଯାହା ଦ୍ୱାରା, ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଆତ୍ମହତ୍ୟା ଉଦ୍ଦେଶ୍ୟ ସୂଚାଇଥିବା ପୋଷ୍ଟ ଦେଖାଯିବା ମାତ୍ରେ ଏକ ଆଲର୍ଟ ଏବଂ ବ୍ୟବହାରକାରୀଙ୍କ ସ୍ଥାନ ତୁରନ୍ତ ପୋଲିସ ନିୟନ୍ତ୍ରଣ କକ୍ଷକୁ ପଠାଯାଏ। ଏହି ସିଷ୍ଟମ ପୂର୍ବରୁ ୟୁପିରେ ଅନେକ ଜୀବନ ବଞ୍ଚାଇସାରିଛି।










