ମୁମ୍ବାଇ: ଜାତୀୟ ସଙ୍ଗୀତକୁ ଅବମାନନା କରିଥିବା ଅଭିଯୋଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ୨୦୨୨ରେ ମୁମ୍ବାଇର ଏକ ଅଦାଲତରେ ମାମଲା ରୁଜୁ କରାଯାଇଥିଲା । ଏହାର ପ୍ରତିବାଦରେ ମମତା ବମ୍ବେ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ତେବେ ବୁଧବାର ଜଷ୍ଟିସ ଅମିତ ବୋର୍କାରଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ ପୀଠ ମମତାଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ ୨୦୨୧ ଡିସେମ୍ବରରେ ମୁମ୍ବାଇର ଯଶୱନ୍ତରାଓ ଚୌହ୍ୱାନ ଅଡିଟୋରିୟମରେ ଏକ ଉତ୍ସବରେ ମମତା ଅତିଥିଭାବେ ଯୋଗଦେଇଥିଲେ । ତେବେ ଉତ୍ସବ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିବାବେଳେ ମମତା ଛିଡା ନହୋଇ ନିଜ ଆସନରେ ବସିଥିବା ଲକ୍ଷ୍ୟ କରାଯାଇଥିଲା । ଏହାର ପ୍ରତିବାଦରେ ବିଜେପି କର୍ମକର୍ତ୍ତା ବିବେକାନନ୍ଦ ଗୁପ୍ତା ତାଙ୍କ ବିରୋଧରେ ଏତଲା ଦାଏର କରିଥିଲେ । ତଦନୁଯାୟୀ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ୨୦୨୨ ମାର୍ଚ୍ଚରେ ମମତାଙ୍କୁ ସମନ ଜାରି କରିଥିଲେ । ଏହାକୁ ମମତା ଏମ୍ପି /ଏମଏଲଏ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୩ ଜାନୁଆରୀରେ ସ୍ୱତନ୍ତ୍ର ଜଜ୍ ଏହି ସମନ୍କୁ ଖାରଜ କରିବା ସହ ମମତାଙ୍କ ବିରୋଧରେ ଆଗତ ଏତଲାର ସାନି ବିଚାର କରିବାକୁ ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ମମତା ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।