ସୁଯୋଗ ହରାନ୍ତୁ ନାହିଁ ଭାରତୀୟ କର୍ପୋରେଟ୍: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ବୈଶ୍ୱିକସ୍ତରରେ ଯେ କୌଣସି ଘଟଣାକ୍ରମ ଯୋଗୁଁ ଉତ୍ପନ୍ନ ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ଅର୍ଥନୀତି ପ୍ରସ୍ତୁତ୍ ରହିଛି । ଏହି ଘଟଣାକ୍ରମରେ ୟୁଏସ୍ ଫେଡେରାଲ୍ ବ୍ୟାଙ୍କ୍ ଦ୍ୱାରା ନରମ ମୌଦ୍ରିକ ନୀତିର ପ୍ରତ୍ୟାହାର ମଧ୍ୟ ସାମିଲ୍ ରହିଛି । ସରକାର ଭାରତୀୟ ଅର୍ଥନୀତିକୁ ବୈଶ୍ୱିକ ଘଟଣାବଳୀରୁ ଉତ୍ପନ୍ନ ସ୍ଥିତି ଦ୍ୱାରା ପ୍ରଭାବିତ ହେବାକୁ ଦେବନାହିଁ । ଆଜି ଦେଶର ଉଦ୍ୟୋଗମଣ୍ଡଳୀ (ଏଫ୍ଆଇସିସିଆଇ) ସହିତ ବଜେଟ୍ ପରବର୍ତ୍ତୀ ଆଲେଚନାରେ ଭାଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିବା ସହିତ ଏହି ସୁଯୋଗକୁ ହାତଛଡ଼ା ନକରିବାକୁ ଦେଶର ଉଦ୍ୟୋଗମଣ୍ଡଳୀକୁ ଆହ୍ୱାନ ଦେଇଛନ୍ତି ।
ଅର୍ଥବ୍ୟବସ୍ଥାର ସୁଧାର ସମ୍ପୂର୍ଣ୍ଣ ରୁପେ ସଫା ରହିଛି । ସୁଧାର ହିଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବ । ଏହି ସ୍ଥିତି ଆଗାମୀ ଆର୍ଥିକ ବର୍ଷରେ ମଧ୍ୟ ଜାରି ରହିବ । ମହାମାରୀ ବୈଶ୍ୱିକ ସ୍ତରରେ ଅନେକ ପରିବର୍ତ୍ତନ ଘଟାଇଛି । ଉଦ୍ୟୋଜଗତର ଲିଡର୍ମାନେ ଏଥର ବସ୍ ମିସ୍ ନକରନ୍ତୁ ବୋଲି ଅର୍ଥମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।
ପୂର୍ବରୁ ବୈଶ୍ୱିକ ମାନ୍ଦାବସ୍ଥା ସମୟରେ ଭାରତ ଏହି ସୁଯୋଗ ହରାଇଥିଲା । ବୈଶ୍ୱିକ ଅର୍ଥବ୍ୟବସ୍ଥାର ବିଭିନ୍ନ ଘଟଣାକ୍ରମ ଉପରେ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତୀକ୍ଷ୍ଣ ନଜର ରଖିଛନ୍ତି । ଦେଶର ଅର୍ଥବ୍ୟବସ୍ଥାକୁ କୌଣସି କ୍ଷତି ହେବାକୁ ଦେବେନାହିଁ । ଭାରତ ଆଗକୁ ବଢ଼ିବ ଓ ଶତପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ୨୦୪୭ ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର କିଛି ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ରହିବ ବୋଲି ସେ କହିଛନ୍ତି।