କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଛି । ଏହା ଏକ ହତ୍ୟା ଘଟଣା ବୋଲି ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି । ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ଦାରିଙ୍ଗବାଡ଼ି ଥାନା ବି. ଡକେବାଡି ଗ୍ରାମର ଶାନ୍ତନା ନାୟକ । ଶାନ୍ତନା ମଙ୍ଗଳବାରଠାରୁ ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଗୁରୁବାର ଜଙ୍ଗଲରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଶାନ୍ତନାଙ୍କ ସ୍ୱାମୀ ଯୋଜନାବଦ୍ଧ ଭାବେ ଏହି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପୋଲିସ ଶାନ୍ତନାଙ୍କ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ, ଶାନ୍ତନାଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଦୀର୍ଘବର୍ଷ ତଳେ ପ୍ରେମ ବିବାହ କରିଥିଲେ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବାରୁ କୁଆଡ଼େ ଶାନ୍ତନାଙ୍କୁ ତାଙ୍କ ଶାଶୁଘର ଲୋକେ ଗ୍ରହଣ କରୁ ନ ଥିଲେ । ଇତିମଧ୍ୟରେ ତାଙ୍କର ବିବାହ ପ୍ରାୟ ୭ ବର୍ଷ ବିତି ଯାଇଥିବା ବେଳେ କେଉଁ କାରଣରୁ ଶାନ୍ତନାଙ୍କୁ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ପୋଲିସ କହିଛି । ଏଥିରେ କେବଳ ତାଙ୍କ ସ୍ୱାମୀ ସାମିଲ ଅଛନ୍ତି ନା ତାଙ୍କ ସହ ଆଉ କେହି ସାମିଲ ଅଛନ୍ତି ତାହା ପୋଲିସ ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ନମୁନା ସଂଗ୍ରହ କରୁଛନ୍ତି ।