କଟକ: ହସ୍ପିଟାଲରେ ମୃତ ପତ୍ନୀଙ୍କୁ ଛାଡ଼ି ତାଙ୍କ ସ୍ବାମୀ ଫେରାର୍ ହୋଇଯାଇଛନ୍ତି। ଡାକ ବିଭାଗରେ କାମ କରୁଥିବା ଏହି ନିଷ୍ଠୁର ସ୍ବାମୀଙ୍କ ଆଚରଣ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। କେଉଁ କାରଣ ପାଇଁ ମହିଳାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ତେବେ, ବିବାହ ପରଠାରୁ ତାଙ୍କ ସ୍ବାମୀ ନିର୍ଯାତନା ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଛି। ମହିଳା ଜଣକ ସେହି ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ମୃତ ମହିଳା ହେଉଛନ୍ତି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର କଟ୍ରାମଲର ହେମନ୍ତ ପରିଡ଼ାଙ୍କ ଝିଅ ମଧୁସ୍ମିତା ପରିଡ଼ା(୨୯)। ୨୦୧୯ ମସିହାରେ ମଧୁସ୍ମିତା ସିଡିଏ ସେକ୍ଟର ୭ ଅଞ୍ଚଳର ପ୍ରଦୋଷ କୁମାର ସ୍ବାଇଁଙ୍କୁ ବିବାହ କରିଥିଲେ।
ପ୍ରଦୋଷ କଟକ ଗ୍ରାମାଞ୍ଚଳରେ ଡାକ ବିଭାଗରେ ପୋଷ୍ଟମାଷ୍ଟର ଭାବେ କାମ କରୁଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ମଧୁସ୍ମିତାଙ୍କୁ ଆଣି ସିଡିଏସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ବାମୀ ପ୍ରଦୋଷ। ଏହାପରେ ତଳ ମହଲାରୁ ଔଷଧ ଆଣିବାକୁ ଯାଉଥିବା କହି ଫେରାର ହୋଇଯାଇଥିଲେ। ଦୀର୍ଘସମୟ ଧରି ନଫେରିବାରୁ ହସ୍ପିଟାଲ ପକ୍ଷରୁ ଖୋଳତାଡ଼ କରାଯାଇଥିଲା। ମଧୁସ୍ମିତା ସେହି ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବାରୁ ସହଯୋଗୀମାନେ ତାଙ୍କ ଶାଶୂଘର ସହିତ ଯୋଗାଯୋଗ କରିଥିଲେ। ମାତ୍ର, କାହା ସହିତ ଯୋଗାଯୋଗ ସମ୍ଭବପର ହୋଇନଥିବା ବେଳେ ହସ୍ପିଟାଲରେ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା।