କଟକ: ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲା ବିଚାର ପାଇଁ ଗ୍ରହଣ ହୋଇନାହିଁ । ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାରୁ ଅଦାଲତ ଆବେଦନ ଗ୍ରହଣ ନକରି ମାମଲାର ଅନ୍ତ ଘଟାଇଛନ୍ତି । ଅପରପକ୍ଷରେ ଇସିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ଆବେଦନକାରୀ ହାଇକୋର୍ଟରେ ପୁଣି ଆବେଦନ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ବହୁ ଭାବେ ବିଜ୍ଞାପନ ଦେବା ଓ ବିଜ୍ଞାପନଗୁଡ଼ିକରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ବ୍ୟବହାର ବନ୍ଦ କରିବାକୁ ଆବେଦନକାରୀ ପ୍ରଥମେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି ।
ସରକାରଙ୍କ ଏଭଳି କାର୍ଯ୍ୟ ନିର୍ବାଚନ ଆଇନର ଉଲ୍ଲଂଘନ କରୁଛି । ପୁଣି ବିଜ୍ଞାପନଗୁଡ଼ିକରେ ଶଙ୍ଖ ଚିହ୍ନର ବ୍ୟବହାର ନିର୍ବାଚନ ଚିହ୍ନ ନିୟମାବଳୀ ୧୯୬୮ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ବିଜେପି ନେତା ଯତୀନ ମହାନ୍ତ ପକ୍ଷରୁ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ । ଇସି ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ ପ୍ରଥମେ ସୁପ୍ରିମକୋର୍ଟ ଯାଇଥିଲେ । ପରେ ଦିଲ୍ଲୀ ହାଇକୋର୍ଟ ଓ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଆବେଦନକାରୀ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ମାମଲାର ଶୁଣାଣି ହେବା ପୂର୍ବରୁ ନିର୍ବାଚନ କମିଶନ ଯତୀନଙ୍କ ଅଭିଯୋଗ ଆଧାରରେ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦେବାକୁ ନୋଟିସ୍ କରିଥିଲେ । କମିଶନ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବାରୁ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହ ମାମଲାର ଅନ୍ତ ଘଟାଇଛନ୍ତି ।