ଭୁବନେଶ୍ୱର : ପ୍ରବଳ ଖରା , ପ୍ରଚଣ୍ଡ ତାତି । ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ। ୩ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ଜାରି ରହିବ। ଆଉ ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ଉପକୂଳ ଓଡ଼ିଶାରେ ପାଞ୍ଚ ଦିନ ପ୍ରଚଣ୍ଡ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ଯରେ ରାଜ୍ୟର ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ କରଯାଇଛି। ୧୨ ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ୩ ଓ ୪ ତାରିଖରେ ହିଟ୍ ୱେଭ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ବା ତା ଠାରୁ ଅଧିକ ତାପମାତ୍ରା ରହିବାର ସମ୍ଭାବନା ରହିଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାତି ଓ ଗୁଳୁଗୁଳି ସ୍ଥିତି ରହିବ। କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତା’ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିବା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ । ଜୁନ୍ ୪ ତାରିଖ ବେଳକୁ ବର୍ଷାର ମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, ମାଲକାନଗିରି, ଅନୁଗୋଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ନୂଆପଡ଼ା ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହିତ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି।