ଭୁବନେଶ୍ବର: ରାଜ୍ୟର ସର୍ବ ପୁରାତନ ଓଡ଼ିଶା କୋହେନୂର ପ୍ରେସ ପଞ୍ଜିକାର ସ୍ବତନ୍ତ୍ର ୮୮ତମ ସଂସ୍କରଣର ଶୁଭ ଉନ୍ମୋଚନ, ଲୋକାର୍ପଣ ତଥା ପ୍ରାକ୍ ଦଶନ୍ଧି ଶତାବ୍ଦୀ ମହୋତ୍ସବର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନରେ ଅନୁଷ୍ଠିତ ହୋଇଯାଇଛି । ୨ ତାରିଖ ଦିନ ରାଜ୍ୟପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ଉପସ୍ଥିତିରେ “ରାଜ୍ୟପାଳ ବିଶେଷ ସଂସ୍କରଣ” ଉନ୍ମୋଚନ ହୋଇଛି ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କିଭଳି ଭାବେ ଅନାଦି କାଳରୁ “ଓମ” ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି । ପୃଥିବୀ ତତମଧ୍ୟରୁ ଏକ କଣିକା ସଦୃଶ ମାତ୍ର। ସେଥିରେ ବସବାସ କରୁଥିବା ସମସ୍ତ ସୃଷ୍ଟି ଜୀବଜଗତ ଠାରୁ ଆରମ୍ଭ କରି ଜଡ଼ଜଗତ ଓ ଭୌଗଳିକ ସୃଷ୍ଟି ସବୁକୁ ଶ୍ରେଷ୍ଠ ପ୍ରାଣୀ ମାନବ ଦ୍ରୁତ ଗତିରେ ଧ୍ବଂସ ଆଡ଼କୁ ନେଇ ଯାଉଛି। ତା’କୁ ରକ୍ଷା କରିବାର ଗୁରୁଦାୟିତ୍ବ ବର୍ତ୍ତମାନର ମାନବସମାଜ ଉପରେ । ପଞ୍ଜିକା ଏ ଦିଗରେ ସଚେତନ କରାଇଥାଏ।
ଏହି ଅବସରରେ ପଞ୍ଜିକାର ସମ୍ପାଦକ ଡକ୍ଟର ଶେଖ ଜହରୁଲ ଇସଲାମ, ଶଶିଭୂଷଣ ବେହେରା, ସହଦେବ ସାହୁ, ପଣ୍ଡିତ କୃଷ୍ଣପ୍ରସାଦ ମହାପାତ୍ର ଖଡ଼ିରତ୍ନ, କୀର୍ତ୍ତି ପ୍ରସାଦ ଖଡ଼ିରତ୍ନ, ଶ୍ରୀ ସତ୍ୟବ୍ରତ ମହାନ୍ତି, ପଣ୍ଡିତ ହିମାଂଶୁ ଶେଖର ଆଚାର୍ଯ୍ୟ, ଡକ୍ଟର ପ୍ରଦୀପ କୁମାର ଚୌଧୁରୀ, କବି ରକ୍ଷକ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟପାଳଙ୍କୁ ଶ୍ରୀ ସୁରେନ୍ଦ୍ର ଦାସ, ଜହରୁଲ ଇସଲାମ, ଆସିଫା ଜହୁର, ହମନସିନ ଅହମ୍ମଦ ଓ ଡକ୍ଟର ବିଜୟା ମିଶ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହାସଚିବ ତଥା ଅଭ୍ୟର୍ଥନା କମିଟିର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇ ଏହି ପଞ୍ଜିକାର ପ୍ରତିଷ୍ଠାତା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଅମ୍ମିନୁଲ ଇସଲାମଙ୍କର ଜାତୀୟ ସଂହତି ସୁରକ୍ଷା କ୍ଷେତ୍ରରେ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ ।