ଥାଇଲାଣ୍ଡ : ନିକଟରେ ଘୋଷଣା ହୋଇଛି ‘ମିସେଲିନ୍ ଗାଇଡ୍ ଷ୍ଟାର ସମ୍ମାନ । ଏଥିରେ ମାତ୍ର ଦୁଇଟି ରେସ୍ତୋରାଁ ଦ୍ବିତୀୟ ଥର ପାଇଁ ଏହି ସମ୍ମାନ ହାସଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ଭାରତୀୟ । ଥାଇଲାଣ୍ଡର ବ୍ୟାକକ୍ ସ୍ଥିତ ‘ଗା’ ନାମକ ଏହି ରେସ୍ତୋରାଁକୁ ଦ୍ବିତୀୟ ଥର ପାଇଁ ମିଳିଛି ଏହି ସମ୍ମାନ ଆଉ ଏହାର ପରିଚାଳନା କରୁଛନ୍ତି ମିସେଲିନ୍ ଷ୍ଟାର ସେଫ ଗାରିମା ଆରୋରା । ନଭେମ୍ବର 2018 ରେ, ସେ ପ୍ରଥମ ଭାରତୀୟ ମହିଳା ସେଫ ହୋଇଥିଲେ ଯିଏକି ମିସେଲିନ୍ ଷ୍ଟାର ଜିତିଥିଲେ । ତେବେ ଗାରିମା ପୁଣି ଥରେ ମିସେଲିନ୍ ଷ୍ଟାର ଜିତି ଭାତରକୁ ଗୌରବାନିତ୍ବ କରିଛନ୍ତି । ତେବେ ଏହି ଖବର ଜଣାଇବା ପାଇଁ ଏବଂ ତାଙ୍କ ଟିମକୁ କୃତଜ୍ଞତା ଜଣାଇବା ପାଇଁ ଗାରିମା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଏହି ସୂଚନା ଦେଇଛନ୍ତି । ଏହାସହ ସେ ତାଙ୍କ ସେଫ ବିକାଶ ଖାନ୍ନା ଏବଂ ସେଫ ରଣଭୀର ବ୍ରାରଙ୍କ ଅଭିନନ୍ଦନ ମଧ୍ୟ ଗ୍ରହଣ କରିଥିଲେ । ମିସେଲିନ୍ ଗାଇଡ୍ର ଆନୁଷ୍ଠାନିକ ୱେବ୍ସାଇଟ୍ ପକ୍ଷରୁ ଗରିମାଙ୍କ ରେସ୍ତୋରାଁକୁ ‘ବାହାରେ ପାରମ୍ପରିକ ଓ ଭିତରେ ସମକାଳୀନ’’ର ଆଖ୍ୟା ଦିଆଯାଇଛି। ଆଧୁନିକ ଜ୍ଞାନକୌଶଳ ଓ ଉପସ୍ଥାପନାରେ ରୂପାନ୍ତରିତ ହୋଇଥିବା ସେଫ୍ ଗରିମାଙ୍କ ଉତ୍କୃଷ୍ଟ ରୋଷେଇକୁ ‘ଗା’ର ସ୍ଥିତି ପ୍ରତିଫଳିତ କରୁଛି ବୋଲି କୁହାଯାଇଛି । ଗରିମାଙ୍କ ରୋଷେଇଶୈଳୀକୁ ‘ଭରସାଯୋଗ୍ୟ ଓ କୁଶଳୀ ବୋଲି ଯେତେ କହିଲେ ବି କମ୍ ହେବ’ ବୋଲି ସେଥିରେ ବର୍ଣ୍ଣନା କରାଯାଇଛି। ସେହିପରି ଗରିମାଙ୍କ ବ୍ୟଞ୍ଜନଗୁଡ଼ିକ ‘ସୁନ୍ଦର ତଥା ଯଥାର୍ଥ ମସଲାଯୁକ୍ତ, ଅସାଧାରଣ ସ୍ବାଦର ମିଶ୍ରଣ ବୋଲି ଖୁବ୍ ପ୍ରଶଂସା କରାଯାଇଛି । ଗରିମାଙ୍କର ଏହି ତିନି ମହଲା ବିଶିଷ୍ଟ ରେସ୍ତୋରାଁଟି ୨୦୧୭ରେ ବ୍ୟାଂକକର କେନ୍ଦ୍ରସ୍ଥଳରେ ଖୋଲିଥିଲା। ସେଠାରେ ସେ ପାରମ୍ପରିକ ଭାରତୀୟ ରୋଷେଇ ପ୍ରଣାଳୀକୁ ସମକାଳୀନ ସ୍ବାଦିଷ୍ଠ ବ୍ୟଞ୍ଜନ ସହିତ ସମନ୍ବିତ କରି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲେ । ରୋଷେଇରେ ତାଙ୍କର ନିଷ୍ଠା ଓ କଳାତ୍ମକ ପ୍ରତିଭାକୁ ଚିହ୍ନଟ କରାଯାଇ ୨୦୧୮ରେ ତାଙ୍କୁ ପ୍ରଥମ ‘ମିସେଲିନ୍ ଷ୍ଟାର’ ସମ୍ମାନ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ମିସେଲିନ୍ ଷ୍ଟାର୍ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ସେଫ୍।