ନୂଆଦିଲ୍ଲୀ: ଫେବୃଆରୀ ୧୭ରେ ଅଯୋଧ୍ୟା ଓ ଜନକପୁର (ନେପାଳ) ମଧ୍ୟରେ ‘ଭାରତ ଗୌରବ’ ଟ୍ରେନ୍ ଯାତ୍ରାରମ୍ଭ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସାତଦିନର ଏହି ଯାତ୍ରା ସମୟରେ ଟ୍ରେନ୍ଟି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ସୀତାଙ୍କ ଜୀବନ କାହାଣୀ ସମ୍ପର୍କିତ ବିଭିନ୍ନ ତୀର୍ଥସ୍ଥଳୀକୁ ଯିବ ବୋଲି ଜଣାପଡିଛି । ଯାତ୍ରାକାଳରେ ଶ୍ରଦ୍ଧାଳୁଙ୍କୁ ଦୁଇ ରାତି (ଗୋଟିଏ ରାତି ଜନକପୁରରେ ଓ ଅନ୍ୟ ରାତି ବାରାଣସୀରେ) ହୋଟେଲରେ ଅବସ୍ଥାନ କରିବାକୁ ପଡିବ । ତେବେ ଅଯୋଧ୍ୟା, ସୀତାମାଢି ଓ ପ୍ରୟାଗରାଜ ଭଳି ସ୍ଥାନକୁ ଦିନବେଳା ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ କରିବାରେ ଏହି ଯାତ୍ରା ସହାୟକ ହେବ ବୋଲି ଆଶା କରାଯାଉଛି ।
ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନ୍ରେ ଦୁଇଟି ସୁସଜ୍ଜିତ ଡାଇନିଂ, ଗୋଟିଏ ମଡର୍ଣ୍ଣ କିଚେନ୍, ସେନ୍ସର ଲାଗିଥିବା ବାଥରୁମ୍ ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ମାଲିସ୍ୱାଲା ଏବଂ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଟ୍ରେନ୍ରେ ସିସିଟିଭି ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ ବଗିରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ । ଦିଲ୍ଲୀରୁ ବାହାରି ଟ୍ରେନ୍ ପ୍ରଥମେ ଅଯୋଧ୍ୟାରେ ଅଟକିବ । ସେଠାରେ ଯାତ୍ରୀମାନେ ରାମମନ୍ଦିର ଦର୍ଶନ କରିବାପରେ ନିକଟସ୍ଥ ନନ୍ଦିଗ୍ରାମରେ ଥିବା ଭରତ ମନ୍ଦିର ମଧ୍ୟ ଦର୍ଶନ କରିବେ । ଏହାପରେ ଟ୍ରେନ୍ଟି ବିହାରର ସୀତାମାଢି ଅଭିମୁଖେ ଯାତ୍ରା କରିବ । ସେଠାରୁ ଯାତ୍ରୀଙ୍କୁ ବସ୍ ଯୋଗେ ନେପାଳସ୍ଥିତ ଜନକପୁର ନିଆଯିବ । ସୀତାମାଢି ରେଳଷ୍ଟେସନରୁ ଜନକପୁର ଦୂରତ୍ୱ ମାତ୍ର ୭୦ କିମି ।