ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ତାରିଣୀବସ୍ତିର ଏକ ଭଡ଼ାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଲୋକନାଥ ପଲେଇଙ୍କ ଝିଅ ସୁରେଖା ପଲେଇ(୨୬) । ପୁଲିସ ଯୁବତୀଙ୍କ ପରିବାରଲୋକଙ୍କୁ ଖବରଦେବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଇଦେଇଛି । ମଙ୍ଗଳବାର ବ୍ୟବଚ୍ଛେଦ ସରିବା ପରେ ଶବ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ଭରତପୁର ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି । ଉଦ୍ଧାର ବେଳେ ଯୁବତୀଙ୍କ ବେକରେ ତଣ୍ଟିଚିପା ଦାଗ ଥିଲା । ତେଣୁ ଯୁବତୀଙ୍କ ତାଙ୍କ ପ୍ରେମିକ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ଅନ୍ୟପକ୍ଷେ ସୁରେଖାଙ୍କ ମା’ କୁନ୍ତଳା ପଲେଇ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନଂ ୧୪/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଲୋକନାଥ ପଲେଇଙ୍କ ଦୁଇ ଝିଅ ଅଛନ୍ତି । ବଡଝିଅ ସୁରେଖା ୪ବର୍ଷ ହେବ ରାଜଧାନୀରେ ଏକ ବିୟୁଟି ପାର୍ଲରରେ କାର୍ଯ୍ୟ କରୁଥିଲେ । ଏଥିସହ ଭରତପୁର ଥାନା ତାରିଣୀ ବସ୍ତିରେ ରହିଆସୁଥିଲେ । ସୁରେଖାଙ୍କ ପାଖରେ ତାଙ୍କ ମାଉସୀ ଝିଅ ମୌସୁମୀ ପ୍ରଧାନ(୨୨) ବେଳେବେଳେ ଆସି ରହୁଥିଲେ । ଗତ ସପ୍ତାହରେ ସୁରେଖାଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରେମିକ ଓ ସାଙ୍ଗମାନେ ତାରିଣୀବସ୍ତି ସ୍ଥିତ ଭଡ଼ାଘରକୁ ଆସିଥିଲେ । ଜନ୍ମଦିନ ପାଳନ ପରେ ସମସ୍ତେ ପଳାଇ ଯାଇଥିଲେ ।
ରବିବାର ରାତିରେ ସୁରେଖା ଓ ତାଙ୍କ ପ୍ରେମିକ ଦୁହେଁ ମିଶି ପୁଣି ଭୋଜି କରିଥିଲେ । ରାତି ସାଢ଼େ ଦୁଇଟା ପରେ ଖିଆପିଆ କରିଥିଲେ । ସୋମବାର ସକାଳେ ମୌସୁମୀ ସୁରେଖାଙ୍କୁ ଫୋନ୍ କରିଥିଲେ । ହେଲେ ସେ ଉଠାଇନଥିଲେ ।
ତେଣୁ ସେ ସନ୍ଦେହ କରି ଦିନ ୨ଟାବେଳେ ସୁରେଖାଙ୍କ ଘରକୁ ଆସିଥିଲେ । ଘର କବାଟ ଖୋଲି ଦେଖନ୍ତି ତ ସୁରେଖାଙ୍କ ମୃତଦେହ ଖଟରେ ପଡ଼ିଛି । ତାଙ୍କ ବେକରେ ଏକ କଳାଦାଗ ରହିଛି । ଯାହାକୁ ଦେଖି ମୌସୁମୀ ପଡ଼ୋଶୀଙ୍କୁ ଡ଼ାକିଥିଲେ । ପରେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ଭରତପୁର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଉକ୍ତ କୋଠରୀରେ ଅଧାଖିଆ ଚିକେନ୍, ଭାତ, ଷ୍ଟୋଭ୍ ସବୁ ପଡ଼ିଥିଲା । ଯାହାଦେଖି ରାତିରେ ଭୋଜି ହୋଇଥିବା ପୁଲିସ ଜାଣିପାରିଥିଲା । ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେଠାକୁ ଜଣେ ଯୁବକ ବା ସୁରେଖାଙ୍କ ପ୍ରେମିକ ଆସିଥିବା କହିଥିଲେ ।
ତେବେ ହତ୍ୟା କରି ଯୁବକ ଫେରାର୍ ହୋଇଯାଇଥିବା ପୁଲିସ ସନ୍ଦେହ କରିଛି । ପରେ ପୁଲିସ ଘର ଯାଞ୍ଚ କରିବାରୁ ସମ୍ପୃକ୍ତ ପ୍ରେମିକର ଏକ ପ୍ରେସ୍ କାର୍ଡ଼ ମିଳିଛି । ପୁଲିସ ସେହି ପ୍ରେସକାର୍ଡ଼ ଆଧାରରେ ଯୁବକଙ୍କୁ ଖୋଜୁଥିବା ଜଣାପଡ଼ିଛି । ଯୁବକଙ୍କୁ ଧରିବା ପରେ ଘଟଣାର ରହସ୍ୟ ଖୋଲିବ ବୋଲି ପୁଲିସ ଆଶା ରଖିଛି । ତେବେ ସୁରେଖାଙ୍କୁ ତାଙ୍କ ପ୍ରେମିକ କାହିଁକି ତଣ୍ଟି ଚିପି ହତ୍ୟା କରିଲେ, ସୁରେଖା ଆତ୍ମହତ୍ୟା କରିଛନ୍ତି କି, ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେମିତି ମୃତ୍ୟୁ ହେଲା, ତା’ର କାରଣ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।