ବେଜିଂ: ନୃଶଂସ ବାପା । ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରିବାକୁ ବି ପଛାଇଲା ନାହିଁ । ଦୁଇ ଶିଶୁଙ୍କୁ ହତ୍ୟା ଅଭିଯୋଗରେ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେବାକୁ ପଡିଛି । ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇବର୍ଷ ପରେ ଉଭୟ ଦୋଷୀ ସାବ୍ୟସ୍ତ ହେବାପରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡ ଦିଆଯାଇଛି । ଚୀନ୍ର ଝାଙ୍ଗ ଓ ୟେ ଚେଙ୍ଗଚେନ ସୋସିଆଲ ମିଡିଆରେ ପରସ୍ପରକୁ ଭେଟିଥିଲେ । ଝାଙ୍ଗ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ପିଲା ଥିଲେ । ଚେଙ୍ଗଚେନ ଏହା ଜାଣି ମଧ୍ୟ ଝାଙ୍ଗଙ୍କ ସହ ସଂପର୍କ ବଢାଇଥିଲେ । ପରେ ଝାଙ୍ଗ ୨୦୨୦ ମସିହାରେ ସ୍ତ୍ରୀ ମେଲିନଙ୍କୁ ଛାଡପତ୍ର ଦେଇଥିଲେ । ଉଭୟ ପିଲା ତାଙ୍କ ସହ ରହିବେ ବୋଲି କୋର୍ଟରେ ଆବେଦନ କରିଥିଲେ ଝାଙ୍ଗ । ପରେ ପିଲା ଦୁଇଜଣ ଝାଙ୍ଗଙ୍କ ସହ ରହୁଥିଲେ ।
ଜଣଙ୍କର ବୟସ ୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧ବର୍ଷ । ତେବେ ଝାଙ୍ଗ ଓ ୟେ ଚେଙ୍ଗଚେନ ପିଲା ଦୁଇଜଣଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଯୋଜନା କରିଥିଲେ । ଯୋଜନା ମୁତାବକ ସେମାନେ ଦୁଇ ପିଲାଙ୍କୁ ଆପାର୍ଟମେଣ୍ଟର ୧୫ମହଲାରୁ ଫିଙ୍ଗିଦେଇଥିଲେ । ଫଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଝାଙ୍ଗଙ୍କର ପତ୍ନୀ ଉଭୟଙ୍କ ନାଁରେ ଅଭିଯୋଗ ଆଣିଥିଲେ । ମାତ୍ର ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ । ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା । ତଳକୁ ଯାଇ ଦେଖିବା ବେଳକୁ ଦୁଇ ପିଲା ପଡିଯାଇ ଥିଲେ । ତାଙ୍କ ପ୍ରେମିକା ପିଲାମାନଙ୍କୁ ହତ୍ୟା କରିବାକୁ ବାଧ୍ୟ କରିଥିଲେ । ଚୀନର ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଝାଙ୍ଗ ତାଙ୍କ କାର୍ଯ୍ୟକଳାପ ପାଇଁ ଅନୁତାପ କରୁଥିବା ଦେଖାଯାଇଛି । ସେ କାନ୍ଥରେ ମୁଣ୍ଡ ବାଡେଇ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ସମଗ୍ର ଚୀନରେ ଆଲୋଡନ ସୃଷ୍ଟି କରିଥିଲା । ପରେ ଏହି ମାମଲାର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତ ଝାଙ୍ଗ ବୋ ଏବଂ ତାଙ୍କ ପ୍ରେମିକା ୟେ ଚେଙ୍ଗଚେନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଚୀନ୍ ଡେଲି ଅନୁଯାୟୀ ଚୀନ୍ର ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଅନୁମୋଦନ କରିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ବୁଧବାର ଉଭୟଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦିଆଯାଇଥିଲା ।