ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ବଦଳୁଛି । ବନ୍ୟା ଓ ବାତ୍ୟା ସହ ସୁନାମି ଭଳି ପ୍ରାକୃତିକ ବିପର୍ଯୟମାନ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି । ଉପକୂଳରେ ବସବାସ କରୁଥିବା ୧୭ ହଜାର ପ୍ରଜାତିର ଜୀବଜନ୍ତୁ ଓ ଉଦ୍ଭିଦ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ମତ ଦେଇଛନ୍ତି । ଶନିବାର ଭୁବନେଶ୍ୱରରେ ‘ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ-ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’ ପ୍ରୟାସ ଆନୁକୂଲ୍ୟରେ ଏହି ଜାତୀୟ ସମ୍ମିଳନୀ ଆୟୋଜନ ହୋଇଛି । ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉପକୂଳ ଓ ସାମୁଦ୍ରିକ ଜୈବ ବିବିଧତା ଏବଂ ଉପକୂଳ ପ୍ରଦୂଷଣ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ପାଇଁ ଭାରତର ୧୩ଟି ଉପକୂଳ ରାଜ୍ୟ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ ।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସହିତ ଉପକୂଳରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି । ଭାରତର ବିସ୍ତିର୍ଣ୍ଣ ଉପକୂଳର ବ୍ୟାପକ ରଣନୈତିକ, ଆର୍ôଥକ ଓ ସାମାଜିକ ଗୁରୁତ୍ୱ ରହିଛି । ୭,୫୦୦ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । ଏଥିରୁ ଓଡ଼ିଶାରେ ୪୮୦ କିମି ରହିଛି । ଏହି କ୍ଷେତ୍ରରେ ଦେଶର ୨୦ ପ୍ରତିଶତ ଲୋକ ବସବାସ କରୁଛନ୍ତି । ପ୍ରତିବର୍ଷ ସାମୁଦ୍ରିକ କାରବାରରୁ ୨ ଟ୍ରିଲିୟନ ଅର୍ଥ ମିଳୁଛି । ଆମର ଉପକୂଳ କ୍ଷେତ୍ରରେ ଏକ ବ୍ୟାପକ ବିବିଧ ପରିବେଶ ସହ ୧୭ ହଜାରରୁ ଅଧିକ ପ୍ରାଣୀ ଏବଂ ଉଦ୍ଭିଦ ବସବାସ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଜୀବଜନ୍ତୁ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି ।
ଏଥିପାଇଁ ଆମେ ସତର୍କ ରହିବା ଜରୁରୀ । ଏସବୁ କେବଳ ମିଳିତ ଉଦ୍ୟମ ଦ୍ୱାରା ସମ୍ଭବ । ଶ୍ରୀ ଯାଦବ ପ୍ରକାଶ କରିଥିଲେ, ବେଳାଭୂମିକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ଯୋଜନା ହାତକୁ ନେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଖାଉଛି । ସମୁଦ୍ର ଜଳସ୍ତର ବି ବଢୁଥିବାରୁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଅଲିଭ ରିଡ୍ଲେ ଓ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟାକୁ ଶ୍ରୀ ଯାଦବ ଉଚ୍ଚ ପ୍ରଶଂସା କରିଛନ୍ତି।
କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ଯେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନାକୁ ବର୍ତ୍ତମାନ ସମୟର ଆବଶ୍ୟକତା ଭାବେ ବିବେଚନା କରାଯାଇଥାଏ । ଡାଟା ଆଧାରିତ ନୀତି ଏବଂ ପରିଚାଳନା ବ୍ୟବସ୍ଥା, ଅଂଶଗ୍ରହଣକାରୀ ସଂରକ୍ଷଣ ମଡେଲ ଏବଂ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ପ୍ରଭାବୀ ଉପକୂଳ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍ଡିପି ସହାୟତାରେ ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବଢ଼ାଇବା ପାଇଁ ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ୍ (ଜିସିଏଫ୍) ସହାୟତାରେ ଉପକୂଳ ପରିଚାଳନା ଏବଂ ଯୋଜନା ପ୍ରସ୍ତୁତିରେ ଆଭିମୁଖ୍ୟକୁ ଏକୀକରଣ କରିବା ଲାଗି ଏଥିରେ ପ୍ରୟାସ କରାଯାଉଛି ।
ତେଣୁ ଦେଶର ଉପକୂଳ କ୍ଷେତ୍ରରେ ସହନଶୀଳତା ଏବଂ ଦୀର୍ଘସ୍ଥାୟୀତ୍ୱ ବଢ଼ାଇବା ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏଭଳି ସମ୍ମିଳନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଚୌବେ ପ୍ରକାଶ କରିଛନ୍ତି । ରାଜ୍ୟ ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ୨୦୧୦ ସେପ୍ଟେମ୍ବରୁ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ଜୋନାଲ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ମାଧ୍ୟମରେ ୨୯୩ କୋଟି ଟଙ୍କା ବ୍ୟୟରେ ୧୮୯ କିମିର କାର୍ଯ୍ୟ ହୋଇଛି । ସେଥିରେ ପାରାଦୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା ପର୍ଯ୍ୟନ୍ତ କାର୍ଯ୍ୟ ହୋଇଛି । କୋଷ୍ଟଲ୍ ରେଗୁଲେଟୋରି ଜୋନ୍ ସିଆର୍ଜେଡ୍ ଉଲ୍ଲଙ୍ଘନକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପୁରୀ ସମେତ ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ରାଜ୍ୟ ସରକାର ଆଗାମୀ ଦିନରେ ବହୁ ଜରୁରୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ଅନ୍ୟ ରାଜ୍ୟରୁ ଆସିଥିବା ମନ୍ତ୍ରୀମାନେ ବି ନିଜ ନିଜ ମତ ଦେଇଥିଲେ ।