ଭୁବନେଶ୍ୱର: ୟୁକ୍ରେନ୍ରେ ବୋମା ମାଡ଼ ଯୋଗୁ ଓଡ଼ିଶାର ତେଲ ବଜାର ନିଆଁ ଲାଗିଛି । ଚାହିଦା ଅନୁସାରେ ଖାଇବା ତେଲର ଘୋର ଅଭାବ ଦେଖାଦେଇଛି । ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛି ପ୍ରାୟ ୫୫ ଟଙ୍କା ବୃଦ୍ଧି ପାଇଛି । ନିକଟ ଭବିଷ୍ୟତରେ ୟୁକ୍ରେନରୁ ତେଲ ଆସିଲା ଭଳି ମନେ ହେଉନାହିଁ । ବିକଳ୍ପ ବ୍ୟବସ୍ଥା ନ ହେଲେ ସ୍ଥିତି ଆହୁରି ହେବ ସଂଗୀନ । ଚଢ଼ା ଦର ସତ୍ତ୍ୱେ ତେଲ ମିଳିବ ନାହିଁ । ଫଳରେ ଦଲାଲ୍ମାନେ ଏହି ସୁଯୋଗରେ ଭେଜାଲ୍ ତେଲ ଯୋଗାଣ କରି ମାଲେମାଲ୍ ହେଉଥିବା ଅଭିଯୋଗ ହେଉଛି । ସରକାରୀ ରିପୋର୍ଟ ଅନୁସାରେ ୟୁକ୍ରେନ୍ରୁ ୮୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଭାରତ ଆମଦାନୀ କରିଥାଏ । ଓଡ଼ିଶା ସମେତ ଭାରତର କିଛି ରାଜ୍ୟରେ ଏହି ତେଲର ଚାହିଦା ଢେର ଅଧିକ । ହେଲେ ଘରୋଇ ଉତ୍ପାଦନ ରହିଛି ମାତ୍ର ୧୦ ଲକ୍ଷ ମେଟ୍ରିକ୍ ଟନ୍ ।
ରାଜ୍ୟରେ ସୂର୍ଯ୍ୟମୁଖୀ, ପାମ୍, ସୋରିଷ ଓ ରିଫାଇନ୍ ତେଲ ବର୍ଷକୁ ପ୍ରାୟ ୬ ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ ପଡ଼ୁଥିବାବେଳେ ସେଥିରୁ ୨୫ ପ୍ରତିଶତ ଚାହିଦା କେବଳ ସୂର୍ଯ୍ୟମୁଖୀ ତେଲ ମେଣ୍ଟାଇଥାଏ । ବାକି ୫୫ ପ୍ରତିଶତ ପାମ୍ ତେଲ, ୧୫ ପ୍ରତିଶତ ସୋରିଷ ତେଲ ଓ ୫ ପ୍ରତିଶତ ଅନ୍ୟାନ୍ୟ ଖାଇବା ତେଲ ବ୍ୟବହାର ହୋଇଥାଏ । ଆଉ ମାତ୍ର ୫ ଦିନ ପାଇଁ ଖାଇବା ତେଲ ଷ୍ଟକ୍ ଅଛି । ତାହା ସରିବା ପରେ ଆବଶ୍ୟକତାନୁସାରେ ତେଲ ମିଳିବା ଅସମ୍ଭବ ହେବ । ସ୍ଥିତି ଏମିତି ହୋଇଛି ସପ୍ତାହକ ଭିତରେ ୧୩୦ ଟଙ୍କାରେ ମିଳୁଥିବା ସୂର୍ଯ୍ୟମୁଖୀ ତେଲ ଖୁଚୁରା ବଜାରରେ ଲିଟର ପିଛା ୧୮୫ରୁ ୨୦୦ ଟଙ୍କାକୁ ବୃଦ୍ଧି ପାଇଛି । ତାହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ସ୍ୱଳ୍ପ ଆୟକାରୀ ବ୍ୟକ୍ତି କେମିତି ନିଜର ଘର ଖର୍ଚ୍ଚ ପାଇଁ ମାସିକ ତେଲର ଆବଶ୍ୟକତା ମେଣ୍ଟାଇବେ ତାହା ଏବେ ଚିନ୍ତାର କାରଣ ହୋଇଛି । କେବଳ ୟୁକ୍ରେନ ନୁହେଁ, ଇଣ୍ଡୋନେସିଆରେ ଉତ୍ପାଦନ କମ ଥିବାରୁ ପାମ୍ ତେଲର ଅଭାବ ବି ଦେଖାଦେଇଛି ।
ଓଡ଼ିଶାରେ ଲୋକେ ତେଲର ଆବଶ୍ୟକତା ଅଧିକ କରୁଥିବାରୁ ରାଜ୍ୟ ସରକାର ସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରିଛି । ତେଣୁ ଭାରତ ସରକାର ଆମେରିକା ଓ କାନାଡ଼ାରୁ ତେଲ ଆମଦାନୀ ନ କଲେ ଆଗାମୀ ଦିନରେ ଖାଇବା ତେଲ ଯୋଗାଣ ଅସମ୍ଭବ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ୨୦୧୯ରେ ୨୧ ମିଲିୟନ ଟନ୍ ତେଲ ଆବଶ୍ୟକ ପଡିଥିବାବେଳେ ୨୦୨୧ରେ ୧୯ ମିଲିୟନ ଟନ୍ ଆବଶ୍ୟକ ପଡ଼ିଛି । ହେଲେ ୨୦୨୨ରେ ପ୍ରାୟ ୨୦ ମିଲିୟନ ଟନ୍ ତେଲ ଆବଶ୍ୟକ ପଡ଼ିବ ବୋଲି ଆକଳନ କରାଯାଇଛି । ଯୁଦ୍ଧ ଯୋଗୁଁ ତେଲର ଅଭାବ ଦେଖାଦେଇପାରେ ।
ହେଲେ ଏବେ ପର୍ଯ୍ୟାପ୍ତ ପରିମାଣରେ ଖାଇବା ତେଲ ରହିଛି । ଏଭଳି ସ୍ଥିତିରେ ତେଲ ଉପରେ କେନ୍ଦ୍ର ସରକାର ଜିଏସ୍ଟି ୫.୫ ପ୍ରତିଶତ, କୃଷି ସେସ୍ ୧୭.୫ ପ୍ରତିଶତ, ଆମଦାନୀ ଶୁଳ୍କ ୨୧ ପ୍ରତିଶତ ଆଦାୟ କରୁଥିବାରୁ ତେଲ ଦର ବୃଦ୍ଧି ହେବା ସ୍ୱାଭାବିକ । ରାଜ୍ୟ ସରକାର ଚାହିଁଲେ ବି କିଛି କରି ପାରୁନାହାନ୍ତି ବୋଲି ସେ କହିଛନ୍ତି । ତେଲ ସମସ୍ୟା ଉପରେ କଂଗ୍ରେସ ଓ ବିଜେପିର ମତ ଲୋଡ଼ିଥିଲୁ। ଉଭୟ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଓଡ଼ିଶାରେ ସୂର୍ଯ୍ୟମୁଖୀ ଫୁଲ ଚାଷ ହେଉଛି । ହେଲେ ଆନ୍ଧ୍ରପ୍ରଦେଶ ବ୍ୟବସାୟୀମାନେ ତାହା କିଣି ନେଉଛନ୍ତି ।
ବଜାର ନ ଥିବାରୁ ଶୋରିଷ ଉତ୍ପାଦନ ୫୦ ପ୍ରତିଶତ ବି କମିଛି । ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଖାଇବାତେଲ ଆକାଶଛୁଆଁ । କେନ୍ଦ୍ର ସରକାର ବର୍ଦ୍ଧିତ ସେସ୍ ଓ ଆମଦାନୀ ଶୁଳ୍କ ଆଦାୟ କରିବା ଦୁଃଖର ବିଷୟ । ଏହି ସୁଯୋଗରେ କେତେକ ଦଲାଲ୍ ଭେଜାଲ୍ କରୁଛନ୍ତି । ଖାଇବା ତେଲ ଦର କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେ ଦିଗରେ ଯତ୍ନବାନ ହୁଅନ୍ତୁ ବୋଲି ସେ ପ୍ରକାଶ କରିିଥିଲେ ।
ଅନ୍ୟପକ୍ଷରେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ ଚାହିଦା ଠାରୁ ଯୋଗାଣ କମ୍ ହେଲେ ଦରଦାମ୍ ବୃଦ୍ଧି ହେବା ସହ ଅପମିଶ୍ରଣ ବଢ଼ିଥାଏ । ଏଭଳି ସଙ୍କଟ ସମୟରେ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ । ତେବେ ଓଡ଼ିଶା ବ୍ୟବସାୟୀ ମହାସଂଘର ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ଦୈନିକ ଦେଢ଼ ହଜାର ଟନ୍ ତେଲ ଆବଶ୍ୟକ ପଡ଼ୁଛି ।୧୩୦ ଟଙ୍କାରେ ମିଳୁଥିବା ସୂର୍ଯ୍ୟମୁଖୀ ତେଲ ଏବେ ଲିଟର ପିଛା ପ୍ରାୟ ୫୫ ଟଙ୍କା ବଢ଼ିଛି । ତେଣୁ ରାଜ୍ୟ ସରକାର ତେଲ ଦର ସମସ୍ୟା ତୁରନ୍ତ ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବା ଦରକାର ।