22.1 C
Bhubaneswar
Thursday, November 19, 2026
Homeଓଡିଶାବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ...

ବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଜରୁରୀକାଳୀନ ସତର୍କତା ଓ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଲେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ ଏବଂ ଏହାର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଜରୁରୀକାଳୀନ ପ୍ରସ୍ତୁତି ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମ୍‌କୁ ସକ୍ରିୟ ରଖିବା ସହ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି । ଏହା ସହିତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସୁରକ୍ଷିତ ପ୍ରସବକୁ ପ୍ରାଥମିକତା ଦିଆଯାଇଛି । ବିଶେଷକରି ଯେଉଁ ଗର୍ଭବତୀ ମହିଳାଙ୍କ ପ୍ରସବ ତାରିଖ ନିକଟବର୍ତ୍ତୀ ହୋଇଛି ଏବଂ ଯେଉଁମାନେ ତଳିଆ, ବିପଦସଙ୍କୁଳ କିମ୍ବା ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବା ଅଞ୍ଚଳରେ ରହୁଛନ୍ତି, ସେମାନଙ୍କୁ ଆଗୁଆ ଚିହ୍ନଟ କରି ନିକଟସ୍ଥ ‘ମାଆ ଗୃହ’କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋବାଇଲ୍ ହେଲ୍ଥ ୟୁନିଟ୍‌ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି । ପ୍ରଭାବିତ ଅଞ୍ଚଳରେ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଜରୁରୀକାଳୀନ ପ୍ରସ୍ତୁତି ଓ ପରିଚାଳନା ପାଇଁ ଅତିରିକ୍ତ ମାନବସମ୍ବଳ ମାଗିବା ପାଇଁ ମଧ୍ୟ କୁହା ଯାଇଛି । ଏଥିସହ ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ତତ୍କାଳ ବାତିଲ କରାଯାଇଛି । ଆଗାମୀ ତିନି ଦିନ ପାଇଁ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଅଣ-ଜରୁରୀ ବୈଠକକୁ ସ୍ଥଗିତ ରଖାଯାଇଛି । ଏଥିସହ ସମସ୍ତ ଜିଲ୍ଲା ସର୍ଭେଲାନ୍ସ ୟୁନିଟ୍‌କୁ ପ୍ରତିଦିନ ଜିଲ୍ଲାର ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ସମ୍ପର୍କିତ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଛି । ପୂର୍ବ ୨୪ ଘଣ୍ଟାର ସମସ୍ତ ତଥ୍ୟ ସଂକଳନ କରି ପ୍ରତିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟ ମୁଖ୍ୟାଳୟକୁ ରିପୋର୍ଟ ପଠାଇବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଏହି ପ୍ରସ୍ତୁତିମୂଳକ କାର୍ଯ୍ୟଗୁଡ଼ିକର ବ୍ୟକ୍ତିଗତ ଭାବେ ତଦାରଖ କରିବା ସହ ନିର୍ଦ୍ଦେଶଗୁଡ଼ିକର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବେ । ଯେକୌଣସି ଜରୁରୀ ସମସ୍ୟା କିମ୍ବା ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ କରୁଥିବା ବିଷୟକୁ ରାଜ୍ୟ ମୁଖ୍ୟାଳୟକୁ ତତ୍କାଳ ଜଣାଇବାକୁ ନିର୍ଦ୍ଦେଶ ରହିଛି । ବାତ୍ୟା ‘ଅକୱାନ୍’ ଓ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା, ଜରୁରୀ ଚିକିତ୍ସାସେବାର ନିରନ୍ତର ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଗ ରଖିବା ପାଇଁ ଏହି ସମସ୍ତ ନିର୍ଦ୍ଦେଶକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking