19.1 C
Bhubaneswar
Friday, January 10, 2025
Homeଅପରାଧଡମୋ ଦେଖାଇଲା ଜମ୍‌ତାରା ଗ୍ୟାଙ୍ଗ୍‌, ଓଟିପି ନୁହେଁ କୋଡ୍ ଦିଅ

ଡମୋ ଦେଖାଇଲା ଜମ୍‌ତାରା ଗ୍ୟାଙ୍ଗ୍‌, ଓଟିପି ନୁହେଁ କୋଡ୍ ଦିଅ

ଭୁବନେଶ୍ୱର:  ଆଜ୍ଞା.. ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି । ପୁଣି ଚାଲୁ କରିବାକୁ ଚାହୁଁଛନ୍ତି କି । ଯଦି ହଁ ତା’ହେଲେ ଆମେ କହିବାନୁସାରେ ତଥ୍ୟ ଦିଅନ୍ତୁ । ଦେଖନ୍ତୁ ଆପଣଙ୍କ ମୋବାଇଲକୁ ଏକ କୋଡ୍ ଯାଇଛି । କ’ଣ କହିଲେ ଓଟିପି । ନା ନା ସେଇଟା ଓଟିପି ନୁହେଁ କୋଡ୍ । ସେହି ୪ଅଙ୍କ ବିଶିଷ୍ଟ କୋଡ୍‌ଟି ଦିଅନ୍ତୁ । ଆପଣଙ୍କ ଆକାଉଣ୍ଟ ପୂର୍ବଭଳି ଚାଲୁ ହୋଇଯିବ । ଏଭଳି ପ୍ରତିଶ୍ରୁତି ଦେଇ ଜମ୍‌ତାରା ଗ୍ୟାଙ୍ଗର ସାଇବର ଠକମାନେ ଲୋକଙ୍କୁ ଚୂନ ଲଗାଉଥିବା ଜଣାପଡ଼ିଛି । ସେମାନେ ଏଭଳି ତରିକାରେ ଟଙ୍କା ଲୁଟ୍ କରୁଥିବା କହିଛନ୍ତି । ଲୋକଙ୍କୁ କେମିତି ଫୋନ୍ କରନ୍ତି, କେମିତି କଥା ହୁଅନ୍ତି, କେଉଁ ସବୁ ତଥ୍ୟ ମାଗନ୍ତି, କେମିତି ଟଙ୍କା ଟ୍ରାନ୍ସଫର କରନ୍ତି, ଏହିସବୁ ଉପରେ ସେମାନେ ଡେମୋ କରି ଦେଖାଇଛନ୍ତି । ଅଭିଯୁକ୍ତମାନେ ଓଟିପିକୁ କୋଡ୍ କହି ଲୋକଙ୍କୁ ମାଗୁଛନ୍ତି ।

ଯାହାଫଳରେ ଲୋକମାନେ ସେମାନଙ୍କୁ ସାଇବରଠକ ବୋଲି ସହଜରେ ବିଶ୍ୱାସ କରିପାରୁନାହାନ୍ତି । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜମ୍‌ତାରା ଗ୍ୟାଙ୍ଗ୍‌ର ୩ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାରୁ ଏଭଳି ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏଥିସହ ସେମାନଙ୍କର ଏକ ପୁରା ଠକେଇ କରିବା ପ୍ରକ୍ରିୟାର ଡେମୋ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା କହିଛନ୍ତି ।

ଏମିତି ଠକେଇ କରୁଛନ୍ତି
ଜମତାରା ଗ୍ୟାଙ୍ଗର ସଦସ୍ୟମାନେ କେମିତି ଠକେଇ କରୁଛନ୍ତି, ସେସମ୍ପର୍କରେ କ୍ରାଇମବ୍ରାଞ୍ଚ ଏକ ଡେମୋ ପ୍ରସ୍ତୁତ କରି ଭିଡ଼ିଓ ଜାରି କରିଛି। ଭିଡ଼ିଓ ଅନୁସାରେ, ଏହି ଜମ୍‌ତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି ପଚାରୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି । କେୱାଇସି ଅପଡେଟ୍ କରିବାକୁ ଗ୍ରାହକଙ୍କୁ କହୁଛି । ଅପ୍‌ଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଅଙ୍କ ବିଶିଷ୍ଟ ନମ୍ବର ମାଗୁଛନ୍ତି । ଏହାପରେ ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହାପରେ ଗ୍ରାହକଙ୍କୁ ଓଟିପି ବଦଳରେ ଏକ କୋଡ୍ ମାଗୁଛନ୍ତି । ଗ୍ରାହକ ସାଇବରଠକଙ୍କୁ କୋଡ୍ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସର୍ବସ୍ୱ ଟଙ୍କା ଲୁଟିନେଉଛନ୍ତି ।

୧୫୫୨୬୦କୁ କଲ୍ କରନ୍ତୁ
ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀ, ଏଜେଣ୍ଟ , ଇନ୍‌ସୁରାନ୍ସ କମ୍ପାନୀର ଅଫିସର ଭଳି ବିଭିନ୍ନ ପରିଚୟ ଦେଇ ଲୋକଙ୍କ ବିଶ୍ୱାସଭାଜନ ହେଉଛନ୍ତି । ଏହାପରେ ଏଟିଏମ୍ କାର୍ଡର ଏକ୍ସପାୟାର ଡେଟ୍‌, ସିଭିଭି ନମ୍ବର ଏବଂ ଓଟିପିକୁ କୋଡ୍ କହି ମାଗୁଛନ୍ତି । ଏଭଳି କହି ଯେଉଁମାନେ ଫୋନ କରୁଛନ୍ତି, ସେମାନଙ୍କୁ ବିଶ୍ୱାସ କରିବା କଥା ନୁହେଁ । ସରକାରଙ୍କ ଯେତେ ସଂସ୍ଥା ରହିଛି ସେମାନେ କୌଣସି ମୋବାଇଲ ନମ୍ବରରୁ ମେସେଜ୍ ନପଠାଇ ଆଲ୍‌ଫାବେଟିକାଲ୍ କୋଡ୍‌ରୁ ତାଙ୍କର ଗ୍ରାହକମାନଙ୍କୁ ମେସେଜ ପଠାନ୍ତି । ଯଦି ଫୋନ ନମ୍ବରୁ କୌଣସି ମେସେଜ୍ ଆସୁଛି ତାହାକୁ ଶତପ୍ରତିଶତ ଠକ ଭାବେ ଗ୍ରହଣ କରିବା ଆବଶ୍ୟକ । ଯଦି ଠକେଇର ଶିକାର ହୁଅନ୍ତି ତେବେ କ୍ରାଇମବ୍ରାଞ୍ଚର ଥିବା ସାଇବର ସହାୟତା ଡେସ୍କ ନମ୍ବରକୁ (୧୫୫୨୬୦) ଗୋଲ୍ଡେନ୍ ଆୱାର କୁହାଯାଉଥିବା ଏକ ଘଣ୍ଟା ଭିତରେ ରିପୋର୍ଟ କଲେ ଟଙ୍କା ଫେରାଇ ଆଣିବାର ବ୍ୟବସ୍ଥା ରହିଛି । ଏଥିସହ ଅନ୍ୟ ଉପାୟ ମାଧ୍ୟମରେ ଟଙ୍କାକୁ ବ୍ଲକ୍ ମଧ୍ୟ କରାଯାଉଛି । ଗତ ୬ମାସରେ ସାଇବର ହେଲ୍ପ ଡେସ୍କ ଦ୍ୱାରା ୫୫ଲକ୍ଷ ଟଙ୍କା ଫେରାଇ ଅଣାଯାଇଛି । ପ୍ରାୟ ୨୬ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ୍ ହୋଲ୍ଡ ଅପ୍ କରାଯାଇଥିବା ଏଡ଼ିଜି କହିଛନ୍ତି ।

ବେଙ୍ଗାଲୁରୁ ପୁୁଲିସ ପଠାଇଲା ୱାରେଣ୍ଟ୍‌
ବେଙ୍ଗାଲୁରୁର ଏକ ମାମଲାରେ ଝାରପଡ଼ା ଜେଲ୍‌ରେ ଥିବା ଅଭିଯୁକ୍ତମାନଙ୍କ ନାମରେ ୱାରେଣ୍ଟ ଆସି ଜେଲରେ ପହଞ୍ଚିଛି । ସେମାନଙ୍କ ସମ୍ପର୍କରେ ଖୋଳତାଡ୍ କରାଯାଉଛି । ଧିରେଧିରେ ଅନ୍ୟ ରାଜ୍ୟ ଗୁଡ଼ିକର ପୁଲିସ ମଧ୍ୟ ରିମାଣ୍ଡରେ ନେବାକୁ ଆସିବେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ସେହିପରି ଏହି ଗ୍ୟାଙ୍ଗକୁ ମୁମ୍ବାଇରୁ ବ୍ୟାଙ୍କ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଧରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ ଚଳାଇଛି । ଏନେଇ ମୁମ୍ବାଇ ପୁଲିସକୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁ ଓ ଠିକଣା ଦିଆଯାଇ ଗିରଫ କରିବାକୁ ଅନୁରୋଧ କରାଯାଇଛି । ପୁଲିସ ତାଙ୍କୁ ଗିରଫ କରିବା ପରେ ରାଜ୍ୟକ୍ରାଇମବ୍ରାଞ୍ଚର ଏକ ଟିମ୍ ମୁମ୍ବାଇ ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking