ମୟୂରଭଂଜ: ନିଜ ସନ୍ତାନକୁ ହରାଇ ଥିବା ଜଣେ ଅସହାୟ ମାଆର ଏ ଅସହନୀୟ ବେଦନା କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ ପରିସର । ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ଘଟଣା ସମସ୍ତଙ୍କୁ ଚକିତ କରିଛି। ନାବାଳିକା ସନ୍ତାନ ପ୍ରସବ କରିବାପରେ ଦୁହେଁ ମୃତ୍ୟୁ ବରଣ କରିଛନ୍ତି। ଉଭୟ ନବଜାତକ ଏବଂ ନାବାଳିକା ପ୍ରସୂତି ମାଙ୍କ ମୃତ୍ୟୁ ଘଟଣାରେ ସୋମବାର ବେତନଟୀ ଥାନା ପୋଲିସ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇଛି । ସୂଚନା ମୁତାବକ ନାବାଳିକା ଜଣକ ଗର୍ଭବତୀ ହେବାପରେ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ୨ ମାସ ପୂର୍ବେ ପୋକ୍ସ ଆକ୍ଟରେ ୧୪୯ନଂ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଜଗଦୀଶ କାଳନ୍ଦୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେତନଟୀ ଥାନା ପୋଲିସ । ପୀଡିତାଙ୍କୁ ବାରିପଦାସ୍ଥିତ ୱାନଷ୍ଟପ ସେଣ୍ଟରରେ ପ୍ରଥମେ ରଖାଯାଇଥିବା ବେଳେ ପରେ ସୁଧାରଗୃହକୁ ପଠାଇ ଦିଆଯାଇଥିଲା । ତେବେ ଆସନ୍ନ ପ୍ରସବା ନାବାଳିକାଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ରହିଥିଲେ । ରବିବାର ସନ୍ତାନ ପ୍ରସବ ପରେ ଉଭୟ ନବଜାତକ ଏବଂ ପ୍ରସୂତି ନାବାଳିକା ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇଥିଲା । ଏହାପରେ ପ୍ରଥମେ ନବଜାତକ ଏବଂ ପରେ ନାବାଳିକା ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ରବିବାର ଏନେଇ ୪୪ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବାରିପଦା ଥାନା ଅଧିକାରୀ ବିରେନ୍ଦ୍ର ସେନାପତି, ବେତନୋଟି ଥାନା ଅଧିକାରୀ ରେଣୁବାଳା ସାହୁ ପ୍ରମୁଖ ଉପସ୍ଥିତ ରହି ଶଵ ବ୍ୟବଛେଦ କରାଇଛନ୍ତି । ତେବେ ନବଜାତକର ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିବା ଜଣାଯାଇଛି କ୍ଷ ଜଣେ ୧୫ବର୍ଷୀୟା ନାବାଳିକା ଯୁବତୀ ଅନ୍ତସତ୍ୱା ହେବା ଏବଂ ପ୍ରସବପରେ ଉଭୟ ନବଜାତକ ଏବଂ ନାବାଳିକା ପ୍ରସୂତୀଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।