16.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଦେଶର ପ୍ରଥମ ଯକୃତ ପ୍ରତିରୋପଣ ବ୍ୟକ୍ତି ଆଜି ଡାକ୍ତର

ଦେଶର ପ୍ରଥମ ଯକୃତ ପ୍ରତିରୋପଣ ବ୍ୟକ୍ତି ଆଜି ଡାକ୍ତର

ନୂଆଦିଲ୍ଲୀ :  ଶୈଶବରେ ଯକୃତ ଅକାମୀ ହେବାପରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକ ଆଜି ଡାକ୍ତର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାମିଲନାଡୁର ୨୫ ବର୍ଷ ବୟସ୍କ ସଞ୍ଜୟ କାନ୍ଦାସ୍ୱାମୀଙ୍କ ଜୀବନରେ ଏହି ଅବିସ୍ମରଣୀୟ ଘଟଣା ଘଟିଛି । ଆଜକୁ ୨୪ ବର୍ଷ ପୂର୍ବେ ଅର୍ଥାତ୍ ସଞ୍ଜୟଙ୍କୁ ୨୦ ମାସ ବୟସ ହୋଇଥିବାବେଳେ ତାଙ୍କର ଯକୃତ ଅକାମୀ ହୋଇପଡିଥିଲା । ସୁସ୍ଥ ହେବାର କୌଣସି ସଙ୍କେତ ମିଳୁନଥିବାବେଳେ ଡାକ୍ତରୀ ଦଳ ଓ ପରିବାର ତାଙ୍କର ବଞ୍ଚିବା ନେଇ ଆଶା ଛାଡିଦେଇଥିଲେ । ସେତେବେଳେ ଦେଶରେ ଯକୃତ  ପ୍ରତିରୋପଣ ବ୍ୟବସ୍ଥା ମଧ୍ୟ ନଥିଲା । ତେବେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ସଫଳତାର ସହ ତାଙ୍କର ଯକୃତ ପ୍ରତିରୋପଣ କରାଯାଇଥିଲା ।

ସଞ୍ଜୟଙ୍କ ପିତା ଯକୃତ ଦାନ କରିଥିଲେ । କୌଣସି ଶିଶୁଙ୍କ ଶରୀରରେ ଯକୃତ ପ୍ରତିରୋପଣ ହେବାରେ ଏହା ଦେଶର ପ୍ରଥମ ଘଟଣା ଥିଲା । ଯକୃତ ପ୍ରତିରୋପଣ ପରେ ସଞ୍ଜୟ ନିୟମିତ ବ୍ୟବଧାନରେ ଡାକ୍ତରୀ ଯାଞ୍ଚ ପାଇଁ ହସ୍ପିଟାଲ ଯାଉଥିଲେ । ପିଲାଦିନରୁ ଡାକ୍ତର ସେବା ମନୋବୃତ୍ତି ଦେଖିବାପରେ ଭବିଷ୍ୟତରେ ନିଜେ ଜଣେ ଡାକ୍ତର ହେବାକୁ ସେ ପ୍ରେରଣା ପାଇଥିଲେ । ଜଣେ ଡାକ୍ତର ହିଁ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ ବୋଲି ହୃଦୟଙ୍ଗମ ହେବାରୁ ସଞ୍ଜୟ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ଯୋଗଦେଇ ଆଜି ନିଜ ସହର କାଞ୍ଚିପୁରମର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି ।

ବର୍ତ୍ତମାନ ମେଦାନ୍ତ ହସ୍ପିଟାଲରେ କାର୍ଯ୍ୟରତ ଡାଃ ଏ.ଏସ୍‌.ସୋଏନ୍ ସେତେବେଳେ ସଞ୍ଜୟଙ୍କର ଯକୃତ ପ୍ରତିରୋପଣ କରିଥିଲେ । ୨୮ ବର୍ଷର ଡାକ୍ତରୀ କ୍ୟାରିୟରରେ ଏହା ତାଙ୍କ ପାଇଁ ସବୁଠୁ  ଗୌରବର ମୁହୂର୍ତ୍ତ ଥିଲା ବୋଲି ଡାଃ ସୋଏନ୍ କହିଛନ୍ତି । ସଞ୍ଜୟଙ୍କ ପରେ ଆପୋଲୋ ହସ୍ପିଟାଲରେ ଏପର୍ଯ୍ୟନ୍ତ ୪୩୦୦ ଜଣଙ୍କର ଯକୃତ ପ୍ରତିରୋପଣ ହୋଇସାରିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking