ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ନେଇ ଆକଳନ କରାଯାଉଛି କି କରୋନା ଲହରୀ ପୁଣି ଥରେ ଆସିପାରେ । ତେବେ ଭଲ ଖବର ଏହା ଯେ ଦେଶରେ ଅଧିକାଂଶ ଲୋକେ କରୋନାର ଭ୍ୟାକସିନ୍ ନେଇସାରିଛନ୍ତି । ଏଥିଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା କମିଛି । କୋୱିନ୍ ଆପ୍ଲିକେସନ ଏବଂ ନୂଆ ରିପୋର୍ଟ ଅନୁସାରେ ଦେଶରେ ଏବେ କରୋନା ଭ୍ୟାକସିନର ଡୋଜ୍ ୨୦୦ କୋଟିରେ ପହଞ୍ଚିବାକୁ ଯାଉଛି । ବର୍ତ୍ତମାନ ଦେଶରେ କରୋନା ଭ୍ୟାକସିନର ୧୯୯୯୮୩୬୮୩୨ ଡୋଜ୍ ଲାଗିସାରିଛି । ଅର୍ଥାତ୍ ୧୬୩୧୬୮ କରୋନା ଭ୍ୟାକସିନର ଡୋଜ୍ ଆଉ ଲାଗିବା ପରେ ଦେଶରେ ଭ୍ୟାକସିନର ୨୦୦ କୋଟି ଡୋଜ୍ ପୁରା ହୋଇଯିବ ।
କହିରଖୁଛୁ ଦେଶରେ ପ୍ରାୟ ୧୮ ମାସ ଭିତରେ ଏହି ବଡ ଲକ୍ଷ୍ୟ ହାସଲ ହୋଇଛି । ଦେଶରେ କରୋନା ଟିକାକରଣ ଅଭିଯାନ ୧୬ ଜାନୁୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା । ସମୁଦାୟ ୧୯୯.୭ କୋଟି ଭ୍ୟାକସିନର ଡୋଜ୍ ଶନିବାର ରାତି ୯ ସୁଦ୍ଧା ଦେଶରେ ଲଗାଯାଇସାରିଛି । ଏଥିରେ ୫.୪୮ କୋଟି ପ୍ରିକସନ୍ ଡୋଜ୍ ଶନିବାର ଲଗାସରିଛି । ଏହା ସହିତ ୩.୭୯ କୋଟି କରୋନା ଭ୍ୟାକସିନର ପ୍ରଥମ ଡୋଜ୍ ୧୨-୧୪ ବର୍ଷର ପିଲାଙ୍କୁ ଲଗାଯାଇସାରିଛି । ୭୧ ପ୍ରତିଶତରୁ ଅଧିକ ଭ୍ୟାକସିନର ଡୋଜ୍ ଗ୍ରାମାଞ୍ଚଳରେ ଲଗାଯାଇସାରିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ଟ୍ୱିଟ୍ କରି କହିଛନ୍ତି କି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୦ କୋଟି କରୋନା ଭ୍ୟାକସିନର ଡୋଜର ଇତିହାସ ସୃଷ୍ଟି ହେଉଥିବା ଦେଖୁଛି । ଶେଷ ଗଣତି ଆରମ୍ଭ ହୋଇସାରିଛି ।‘ କହିରଖୁଛୁ ଶନିବାର ୨୫ ଲକ୍ଷରୁ ଅଧିକ କରୋନା ଭ୍ୟାକସିନର ଡୋଜ୍ ଲୋକଙ୍କୁ ଲଗାଯାଇଛି । ୧୫ ଜୁଲାଇରେ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସରକାରୀ ସେଣ୍ଟରରେ ମାଗଣା ଭ୍ୟାକସିନର ତୃତୀୟ ଡୋଜ୍ ଲଗାଯାଉଛି । ଏବେ ଭ୍ୟାକସିନ୍ ମାମଲାରେ ଭାରତ ଆଗରେ ଚୀନ୍ ରହିଛି । ଚୀନରେ ୩୪୦ କୋଟି କରୋନା ଭ୍ୟାକସିନ୍ ଡୋଜ୍ ଲୋକଙ୍କୁ ଦିଆଯାଇଛି ।