ଭୁବନେଶ୍ୱର: ଓଡ଼ିଶା କ୍ୟାଡର ୭୩ ଆଇଏଏସ, ଆଇପିଏସ, ଆଇଆରଏସଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏମାନେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ତଦାରଖ କରିବେ । ଶୁକ୍ରବାର ଲୋକସେବା ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାହା ଆୟୋଜିତ ହୋଇଥିଲା । ଭାରତର ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଭିଡିଓ କନଫରେନସିଂ ଜରିଆରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
ତାଙ୍କୁ ସହଯୋଗ କରିଥିଲେ ଦୁଇ ସହଯୋଗୀ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର । ସିଇସି ଶ୍ରୀ ଚନ୍ଦ୍ରା କହିଥିଲେ, ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଗଲେ ପର୍ଯ୍ୟବେକ୍ଷକମାନେ ଅବାଧ, ସ୍ୱଚ୍ଛ ଓ ନିରାପଦ ନିର୍ବାଚନ କିପରି କରାଯାଇ ପାରିବ ସେ ସଂପର୍କରେ ଗୁରୁତ୍ୱ ଦେବାକୁ ହେବ । ବିଶେଷକରି କୋଭିଡ୍ ସମୟରେ ନିରପେକ୍ଷ ଓ ନିରାପଦ ନିର୍ବାଚନ ପରିଚାଳନା କିପରି କରାଯାଇପାରିବ, ତା’ଉପରେ ବି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏଥିରେ ଉପସ୍ଥିତ ଅଧିକାରୀମାନେ ସମ୍ମତି ଜଣାଇଥିଲେ । ପ୍ରାରମ୍ଭରେ ନିର୍ବାଚନ ଆୟୋଗଙ୍କ ସଚିବ ଉମେଶ ସିହ୍ନା ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କିତ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେଖାଇଥିଲେ ।