28.1 C
Bhubaneswar
Friday, March 29, 2024
Homeଓଡିଶାକମିବ ବର୍ଷା, ଫେରିବ ଶୀତ

କମିବ ବର୍ଷା, ଫେରିବ ଶୀତ

ଭୁବନେଶ୍ୱର: ପଶ୍ଚିମାଝଡ଼ ଏବଂ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର-ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଆଉ ଗୋଟିଏ ଦିନ ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିବା ପରେ ଆଗକୁ ପାଗ ଶୁଖିଲା ରହିବା ସହ ଶୀତ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ଜଣାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏରୁ ଦୁଇଟି ସ୍ଥାନରେ ୨୫%ରୁ କମ୍ ବର୍ଷା ହୋଇଥିବା ବେଳେ କିଛି କିଛି ସ୍ଥାନରେ ୨୬ ରୁ ୫୦% ରେକର୍ଡ଼ ହୋଇଛି ।

ସେହିଭଳି ଅନେକ ସ୍ଥାନରେ ୫୧ ରୁ୭୫% ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ୭୬ରୁ ୧୦୦% ବର୍ଷା ହୋଇଛି । ରାୟଗଡ଼ା କୋତ୍ରାଗୁଡ଼ାରେ ସର୍ବାଧିକ ୬୫.୬ ମିଲିମିଟର ବର୍ଷା ହୋଇଛି । ଅନ୍ୟ ସ୍ଥାନ ଭିତରେ ଭୁବନରେ ୬୪.୦ ମିଲିମିଟର, ଗଜପତିର ନୂଆଗଡ଼ାରେ ୫୭.୮ ମିଲିମିଟର, ଆ.ର୍ଉଦୟଗିରିରେ ୫୩.୦ ମିଲିମିଟର, ମାଥିଲିରେ ୪୩.୦ ମିଲିମିଟର, ଲମତାପୁଟରେ ୩୬.୪ ମିଲିମିଟର, କାଶୀନଗରରେ ୩୩.୦ ମିଲିମିଟର, କଳିଙ୍ଗାରେ ୩୨.୦ ମିଲିମିଟର, ଗୁଣୁପୁରରେ ୩୧.୨ ମିଲିମିଟର ଏବଂ ସୁକିନ୍ଦାରେ ୩୦.୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । କିଛି କିଛି ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଘଡ଼ଘଡ଼ି ଦେଖିବାକୁ ମିଳିଛି । ସେହିଭଳି କଳାହାଣ୍ଡି ଏବଂ ଆଖପାଖ ଅଞ୍ଚଳରେ ପ୍ରଚୁର କୁଆପଥର ମାଡ଼ ଯୋଗୁଁ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି ।

ଏସବୁ ଭିତରେ ଚାଷୀଙ୍କ ପାଇଁ ପାଣିପାଗ ବିଭାଗ କିଛି ଜରୁରୀ ବାର୍ତ୍ତା ରଖିଛି । ଶୀତଦିନିଆ ଡାଲିଜାତୀୟ ବିହନ (ମୁଗ,ବିରି ପ୍ରଭୃତି) ଏବଂ ତୈଳବିହନ ବୁଣା ବୁଣି ଆଗକୁ ୨ରୁ୩ ଦିନ ଯାଏଁ ସାମୟିକ ସ୍ଥଗିତ ରଖିବାକୁ କୁହାଯାଇଛି । କାରଣ, ବର୍ଷା ପରର ସର୍ବନିମ୍ନ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳମୁହାଁ ହେବାକୁ ଯାଉଥିବାରୁ ଗଜା ସୃଷ୍ଟି ହେବାରେ ଅସୁବିଧା ହେବ । ଅନ୍ୟପଟେ ଯେହେତୁ ଶୀଘ୍ର ବୁଣାଯାଇଥିବା ଚିନାବାଦାମ ଏବଂ ସୋରିଷ ଫସଲର ବର୍ତ୍ତମାନ ଫୁଲ ଧରିବା ପର୍ଯ୍ୟାୟ, ତେଣୁ ଏହି ବର୍ଷା ଏଥିପାଇଁ ସହାୟକ ହେବ । ଏଣୁ ଆଗାମୀ ୧୬ ତାରିଖ ଯାଏଁ ଚାଷଜମିରେ ଜଳସେଚନ ସ୍ଥଗିତ ରଖିବାକୁ କୁହାଯାଇଛି । ସେହିପରି ୧୬ ପରେ ଆବଶ୍ୟକୀୟ ସାର ଓ କୀଟନାଶକ ପ୍ରୟୋଗ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ଆଗାମୀ ୨୪ ଘଣ୍ଟାରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆସନ୍ତାକାଲିଠାରୁ ବର୍ଷାର ପ୍ରକୋପ କମିବା ସହ ରାତ୍ରି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ରାଜ୍ୟରେ ଆଗକୁ ଶୀତ ସ୍ୱାଭାବିକ ହେବାକୁ ଯାଉଛି । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡୀ ଏବଂ ବଲାଙ୍ଗୀର ଠାରେ ସର୍ବନିମ୍ନ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଦାରିଙ୍ଗବାଡ଼ି ହିଲଷ୍ଟେସନରେ ତାପମାତ୍ରା ୧୧.୦ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ସହରରେ ତାପମାତ୍ରା ଥିଲା ୧୭.୬ ଡିଗ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking