ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ଲେନ୍ ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ଯୁବତୀଙ୍କ ମୃତଦେହ ଘର ନିକଟରେ ଥିବା ଏକ କୂଅରୁ ସୋମବାର ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବାଲେଶ୍ୱର ସିମୁଳିଆ ଥାନା ଅଞ୍ଚଳର କ୍ରିଷ୍ଣା ମହାନ୍ତି(୩୪) । ସେ ମୋ ବସ୍ରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ଏନେଇ ପୁଲିସ କେସ୍ ନଂ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ଏସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି, ମୃତା କ୍ରିଷ୍ଣା ଛାତ ଉପରୁ କଥା ହେଉଥିବାବେଳେ ସନ୍ତୁଳନ ହରାଇ କୂଅରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ପରିବାରରେ ୪ଝିଅଙ୍କ ମଧ୍ୟରୁ କ୍ରୀଷ୍ଣା ବଡ଼ ଝିଅ । ଦୁଇମଝିଆ ଝିଅଙ୍କ ବିବାହ ହୋଇସାରିଥିବାବେଳେ କ୍ରିଷ୍ଣା ଅବିବାହିତ ଥିଲେ । ତାଙ୍କ ମାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ମଝିଆ ଝିଅଙ୍କ ପାଖରେ ରହୁଛନ୍ତି ।
କ୍ରୀଷ୍ଣା ଶ୍ରୀରାମନଗରରେ ଘରଭଡ଼ା ନେଇ ଏକା ରହୁଥିଲେ । ଗତ ୧୫ତାରିଖରେ ସେ କଣ୍ଡକ୍ଟର ଚାକିରୀ ଛାଡ଼ି ଦେଇଥିଲେ । ତେବେ ସକାଳେ ଘର ମାଲିକ ଉଠିବା ପରେ କୂଅରେ କ୍ରିଷ୍ଣାଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଦମକଳ ବାହିନୀ ସହ ପହଞ୍ଚି କ୍ରୀଷ୍ଣାଙ୍କ ମୃତଦେହ ଉଦ୍ଧାର କରିଥିଲା । ଏଥିସହ କୂଆ ନିକଟରୁ ତାଙ୍କର ମୋବାଇଲ ଫୋନ୍ ମିଳିଛି । ସେହି ମୋବାଇଲ ଫୋନ୍କୁ ନେଇ ପୁଲିସ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି ।