ନୟାଗଡ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ନୟାଗଡ଼ ପୋକ୍ସକୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆସାମୀ ଜଣଙ୍କ ହେଲେ ଖଣ୍ଡପଡ଼ା ଥାନା ବଡ଼ବାଣପୁର ଅଞ୍ଚଳର ସୁନୀଲ କୁମାର ଦାସ । ଗତ ୨୦୧୬ ମେ’ ୧୬ ତାରିଖରେ କଣ୍ଟିଲୋ ଅଞ୍ଚଳର ଜଣେ ନାବାଳିକା କଲେଜରେ ଫର୍ମ ପକାଇ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ସୁନୀଲ ତାଙ୍କୁ ଅପହରଣ କରିନେଇ ଭୁବନେଶ୍ୱର ସାଲିଆସାହିରେ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ତା’ସହ ଦୁଷ୍କର୍ମ କରିଥିଲା । ନାବାଳିକା କୌଶଳକ୍ରମେ ସେଠାରୁ ଖସିଆସି ଖଣ୍ଡପଡ଼ା ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଏହି ମାମଲାରେ ନୟାଗଡ଼ ପୋକ୍ସକୋର୍ଟର ବିଚାରପତି ବିଭୁପ୍ରସାଦ ପଣ୍ଡା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ଏହି ଦଣ୍ଡରେ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଦାଲତ ୧୫ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୭୬(୨)ରେ ରାୟ ଦେଇଛନ୍ତି । ଅଭିଯୁକ୍ତ ଅନ୍ୟ ଏକ ପୋକ୍ସ କେସ୍ରେ ନୟାଗଡ଼ ଉପକାରାଗାର ରହୁଥିବା ଜଣାଯାଇଛି ।