18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମଣିପୁରରେ ଥମୁନି ଜାତିଗତ ହିଂସା; ପୋଡ଼ାଜଳା, ପୁଲିସ-ଜନତା ଖଣ୍ଡଯୁଦ୍ଧ ଅବ୍ୟାହତ

ମଣିପୁରରେ ଥମୁନି ଜାତିଗତ ହିଂସା; ପୋଡ଼ାଜଳା, ପୁଲିସ-ଜନତା ଖଣ୍ଡଯୁଦ୍ଧ ଅବ୍ୟାହତ

ଇମ୍ଫାଲ: ମଣିପୁରରେ ମାସାଧିକ କାଳ ଧରି ଲାଗିଥିବା ଜାତିଗତ ହିଂସାର ପରିସମାପ୍ତି ଘଟୁନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏକାଧିକ ପଦକ୍ଷେପ ଏହି ହିଂସାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ମଙ୍ଗଳବାର ଖାମେନଲୋକ୍ ଅଞ୍ଚଳରେ ହିଂସାକାଣ୍ଡ ଘଟି ୯ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ବୁଧବାର ଉତ୍ତ୍ୟକ୍ତ ଲୋକେ ରାଜ୍ୟର ଏକମାତ୍ର ମହିଳା ମନ୍ତ୍ରୀ ନେମ୍‌ଛା କିପ୍‌ଜେନ୍‌ଙ୍କ ଇମ୍ଫାଲସ୍ଥିତ ସରକାରୀ ବଙ୍ଗଳାରେ ନିଆଁ ଲଗାଇଦେଇଛନ୍ତି । ଅବଶ୍ୟ ଏହି ସମୟରେ ମନ୍ତ୍ରୀ ସେଠାରେ ଉପସ୍ଥିତ ନଥିଲେ । ଗୁରୁବାର ଏହି ଧାରା ଅବ୍ୟାହତ ରହିଥିବା ଜଣାପଡିଛି । କର୍ଫ୍ୟୁ ଜାରି କରାଯାଇଥିବା ସତ୍ତ୍ୱେ ରାଜଧାନୀ ଇମ୍ଫାଲରେ ବିକ୍ଷୋଭକାରୀ ଓ ନିରାପତ୍ତାରକ୍ଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଉଭୟପକ୍ଷର ଏକାଧିକ ଲୋକ ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଉତ୍ତ୍ୟକ୍ତ ଲୋକେ କେତେକ ଘର ଓ ଯାନବାହନରେ ନିଆଁ ମଧ୍ୟ ଲଗାଇଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଖାମେନଲୋକ୍‌ରେ ୯ ଜଣଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା କୁହାଯାଇଛି । ସୂଚନାଯୋଗ୍ୟ ମେ’ ୩ରୁ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ୧୧୦ ଜଣ ପ୍ରାଣ ହରାଇଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କିଛିଦିନ ପୂର୍ବେ ମଣିପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିବା ସହ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ମଧ୍ୟ କରାଯାଇଛି । ଶାନ୍ତି ଅବସ୍ଥା ଫେରାଇ ଆଣିବାକୁ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି । ତେବେ କମିଟିରେ ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ ସିଂହଙ୍କୁ ସାମିଲ କରାଯାଇଥିବାରୁ କୁକି ସଂପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛି । ସେମାନଙ୍କର ଏଭଳି ଅସନ୍ତୋଷରେ ମୈତେଇ ସଂପ୍ରଦାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଶାନ୍ତି ଆଲୋଚନା ବୈଠକକୁ ବର୍ଜନ କରିଛି । ମଣିପୁରର ମୋଟ ୧୬ ମଧ୍ୟରୁ ୧୧ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ସମଗ୍ର ରାଜ୍ୟରେ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking