ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣ ସହ ଭାରତରେ ଘଟିଯାଇଥିବା ଅନେକ ଆତଙ୍କବାଦୀ ଘଟଣାର ଅନ୍ୟତମ ଅଭିଯୁକ୍ତ ରହିଥିବା ତଥା କୁଖ୍ୟାତ ଆତଙ୍କବାଦୀ ଆଜମ୍ ଚୀମା ହୃଦ୍ଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ସମ୍ପର୍କରେ ସୂଚନା ମିଳିଛି । ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନର ମୁଖ୍ୟ ହାଫିଜ୍ ସୟିଦ୍ର ଡାହାଣ ହାତ ବିବେଚିତ ହେଉଥିବା ଆଜମ୍ ଚୀମା, ପାକିସ୍ତାନର ଫୈସଲାବାଦ୍ ସହରରେ ରହିଆସୁଥିବା ବେଳେ ଏହି ଠାରେ ହୃଦ୍ଘାତ ହୋଇଥିଲା । ପରେ ଡାକ୍ତର ତାକୁ ମୃତ ଘୋଷଣା କରିବା ପରେ ମଲଖାନୱାଲା ଠାରେ ତା’ର ଅନ୍ତିମ ସଂସ୍କାର ମଧ୍ୟ କରିଦିଆଯାଇଛି । ୨୦୦୮, ୨୬/୧୧ରେ ସମୁଦ୍ର ମାର୍ଗ ଦେଇ ଦକ୍ଷିଣ ମୁମ୍ବାଇରେ ପ୍ରବେଶ କରିଥିବା ୧୦ ଆତଙ୍କବାଦୀମାନେ ମୁମ୍ବାଇର ହୋଟେଲ୍ ତାଜ୍, ଶିବଜୀ ଟର୍ମିନାଲ ସମେତ ଅନେକ ସ୍ଥାନରେ କରିଥିବା ଆତଙ୍କବାଦୀ ହମ୍ଲା ଘଟଣା ପଛରେ ଆଜମ୍ ଚୀମାର ହାତ ରହିଥିଲା । ଭାରତ ଆସିଥିବା ଏହି ୧୦ ଆତଙ୍କୀଙ୍କୁ ଆଜମ ଚୀମା ହିଁ ଟ୍ରେନିଂ ଦେଇଥିଲା । ଏହି ଆତଙ୍କବାଦୀ ହମ୍ଲାରେ ୬ ଆମେରିକୀୟ ନାଗରିକଙ୍କ ସମେତ ୧୬୬ଜଣ ସାଧାରଣ ଲୋକ ଏବଂ ୧୮ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ଆହତ ହୋଇଥିଲେ । ପରେ ଅବଶ୍ୟ ସୁରକ୍ଷାକର୍ମୀମାନେ କେବଳ ଅଜମଲ୍ କସବ ନାମକ ଏକ କମ୍ ବୟସ୍କ ଆତଙ୍କୀକୁ ଜୀବନ୍ତ ଗିରଫ କରିଥିବା ବେଳେ ବାକି ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ । ସେହିପରି ଏହା ପୂର୍ବରୁ ଅର୍ଥାତ୍ ଜୁଲାଇ ୨୬, ୨୦୦୬ରେ ମଧ୍ୟ ମୁମ୍ବାଇର ଅନେକ ଟ୍ରେନ୍ରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୧୮୮ଜଣ ମୃତ୍ୟୁବରଣ କରିଥିଲେ ଏବଂ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ମୋଟ୍ ୩୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୩ଜଣ ପାକିସ୍ତାନୀ ଆତଙ୍କବାଦୀ ଚିହ୍ନଟ ହୋଇଥିଲେ ।