ବାଲିଆପାଳ: ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ପଞ୍ଚାୟତର କଙ୍କଡାପାଳ ଗ୍ରାମରେ ଶନିବାର ପୂର୍ବାହ୍ନରେ ଜଣେ ଦଶମ ଶ୍ରେଣୀ ଛାତ୍ର ବେକରେ ରଶିଲଗାଇ ଆତ୍ମହତ୍ୟା କରିଛି । ମୃତକ ଛାତ୍ର ଜଣକ ହେଲେ କଙ୍କଡାପାଳ ଗ୍ରାମର ରାଧାଶ୍ୟାମ ମହୁରୀଙ୍କ ପୁତ୍ର ବିକାଶ ମହୁରୀ(୧୫) । ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ସୂଚନା ମୁତାବକ କଙ୍କଡାପାଳ ଗ୍ରାମର ରାଧାଶ୍ୟାମଙ୍କ ପୁତ୍ର ବିକାଶ ଶନିବାର ସକାଳେ ସ୍କୁଲକୁ ନଯାଇ ଘରେ ଶୋଇଥିଲେ । ବାପା ରାଧାଶ୍ୟାମ ଏହା ଦେଖି ବିକାଶକୁ ସ୍କୁଲଯିବାକୁ ତାଗିଦ୍ କରିଥିଲେ । କିଛି ସମୟ ପରେ ବିକାଶ ଘର ପଛପଟ ଗଛରେ ବେକରେ ଫାଶୀଦେଇ ଝୁଲୁଥିବା ଘରଲୋକେ ଦେଖି ଜାମକୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ସାରଦା ପ୍ରସନ୍ନ ମୁଦୁଲି ଏବଂ ରାମଚନ୍ଦ୍ର ପୂର୍ଦୂଲ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ ।