ବାଲିଗୁଡା : କନ୍ଧମାଳରୁ ଦାଦନ ଶ୍ରମିକ ଦୁର୍ଦ୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ କାହାର ଆନ୍ତରିକତା ନାହିଁ । ପୁଣି ଦଲାଲର ପ୍ରଲୋଭନର ଶିକାର ହୋଇ ଶହଶହ ଆଦିବାସୀ ଦାଦନ ମୁହାଁ ହେଲେଣି । ଦାଦନମାନଙ୍କୁ କେରଳ ନେବା ପାଇଁ କନ୍ଧମାଳରୁ ଆଜି ଗଡ଼ିଛି ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ । ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ ହୋଇଛନ୍ତି । ଏଥିପାଇଁ ବିଭିନ୍ନ ଗାଁ ଗଣ୍ଡାରେ ଆସି ପହଞ୍ଚିଲାଣି କେରଳର ଦାଦନ ବସ ।
କେବଳ ରାଇକିଆ ନୁହେଁ ଦାରିଙ୍ଗବାଡି, ବାଲିଗୁଡା, କ.ନୂଆଗାଁ, ଜି ଉଦୟଗିରି, ଟିକାବାଲି, ତୁମୁଡିବନ୍ଧ ଆଦି ଅଞ୍ଚଳରୁ ଦାଦନ ଚାଲାଣ ହୋଇଥାନ୍ତି । ବିଭିନ୍ନ ଗାଁ ରେ ଅଜୁଆ ଟ୍ରାଭଲର୍ସରେ ଟିକେଟ ଅଗ୍ରୀମ ମିଳିଥାଏ ବୋଲି ବଡ ବ୍ୟାନର ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ବୁଧବାର ବସ ଆସି ଥାଏ । ଶୁକ୍ରବାର ଦିନ ୧୧ ଟା ବେଳେ ରାଇକିଆ ରୁ କେରଳ ବସ ଛାଡିଛି ୫୦ ଦାଦନ ଙ୍କୁ ନେଇ । ଗୋଟିଏ ଦାଦନ ଶ୍ରମିକକୁ ଟିକେଟର ମୂଲ୍ୟ ତିନି ହଜାର ଟଙ୍କା ରହିଥିବା ବେଳେ ତିନି ଦିନ ସମୟ ଲାଗୁଛି କେରଳରେ ପହଞ୍ଚିବା ପାଇଁ । ରାଇକିଆ ଥାନା ନିକଟ ବସଷ୍ଟାଣ୍ଡରୁ ବସରେ ଶହ ଶହ ଅଣ ପଞ୍ଜିକୃତ ଦାଦନ କେରଳକୁ ଯାଇଥାନ୍ତି ।
ଏହି ଦାଦନ ବସ ସେବା ତିନି ମାସ ହେବ ଚାଲୁଥିବା ବେଳେ କାହାର ଲଗାମ ନାହିଁ । ଦାଦନ ଶ୍ରମିକମାନେ କହିଛନ୍ତି ଯେ ଆମମାନଙ୍କୁ ଏଠାରେ କାମ ଧନ୍ଦା ମିଳୁନାହ । କାମ ଧନ୍ଦା କଲେ ମଧ୍ୟ ଠିକ ଭାବେ ଟଙ୍କା ବି ମିଳୁନାହିଁ, ଯାହା ଫଳରେ ଦାଦନ ଯିବାକୁ ବାଧ୍ୟ ହେଉଛୁ । ଦାଦନ ଖଟିବାକୁ ଯାଉଥିବା ଅଧିକାଂଶ ଶ୍ରମିକଙ୍କ ଶ୍ରମ କାର୍ଡ ମଧ୍ୟ ନଥିବା କହିଛନ୍ତି । ଦାଦନ ବସରେ ଦିନ ଦିପ୍ରହରରେ ଦାଦନ ଦଲାଲ ମାନେ ଚାଲାଣ କରୁଥିଲେ ମଧ୍ୟ ଶ୍ରମ ବିଭାଗ ନା ପୁଲିସ କେହି ମଧ୍ୟ ଏହି ବେଆଇନ ଦାଦନ ଚାଲାଣକୁ ରୋକିବା ପାଇଁ ଆସିନଥାନ୍ତି । ସତେ ଯେମିତି ଏହି ଦାଦନ ବସ ଚାଲିବାରେ ସମସ୍ତଙ୍କ ସହଭାଗୀତା ରହିଛି । ଏପରି କ୍ଷେତ୍ରରେ ରାଜ୍ୟ ସରକାର ବିକାଶର ସ୍ଲୋଗାନ ଦେଇ ଷଷ୍ଠ ଥର ପାଇଁ ବିଜୟୀ ହେବା କହୁଥିବା ବେଳେ କନ୍ଧମାଳ ବିଜେପି ପଛୁଆ ବର୍ଗ ସଭାପତି ସନ୍ତୋଷ କୁମାର ଲେଙ୍କା ଓ କଂଗ୍ରେସର ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର ରାଜ୍ୟ ସରକାରଙ୍କ ବିକାଶ ସ୍ଲୋଗାନକୁ ସମାଲୋଚନା କରି କହିଛନ୍ତି ।