ରାଞ୍ଚି :୨୦୧୯ରେ ଘଟିଥିବା ତାବ୍ରେଜ ଆନ୍ସାରୀ ହତ୍ୟା ମାମଲାରେ ଝଡ଼ଖଣ୍ଡର ସରେଇକେଲାସ୍ଥିତ ଏକ ଅଦାଲତ ବୁଧବାର ସମସ୍ତ ୧୦ ଜଣ ଦୋଷୀଙ୍କୁ ପ୍ରତ୍ୟେକ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୧୫,୦୦୦ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ଅଦାଲତ ଜୁନ୍ ୨୭ରେ ୧୦ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ଶୁଣାଣି ଚାଲିଥିବାବେଳେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦଣ୍ଡାଦେଶ ପରେ ସମସ୍ତ ଦୋଷୀଙ୍କୁ ଜେଲ ପଠାଯାଇଛି । ସୂଚନାଯୋଗ୍ୟ ୨୦୧୯ ଜୁନ୍ ୧୭ରେ ଏହି ଅପରାଧିମାନେ ଏକ ବାଇକ୍ ଚୋରି ଅଭିଯୋଗରେ ତାବ୍ରେଜ୍ ଆନ୍ସାରୀକୁ ପିଟି ପିଟି ମାରିଦେଇଥିଲେ । ତାବ୍ରେଜ୍ ସେତେବେଳେ ପୁଣେରେ ୱେର୍ଲ୍ଡିଂ ମିସ୍ତ୍ରୀଭାବେ କାର୍ଯ୍ୟ କରୁଥିବାବେଳେ ଇଦ ପାଳନ କରିବାକୁ ଗାଆଁକୁ ଆସିଥିଲେ ।