ଭୁବନେଶ୍ୱର:ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋ ସହରରେ ବିଶ୍ୱ ଧର୍ମ , ମହା ସମ୍ମିଳନୀରେ ଉଦବୋଧନ ଦେବାବେଳେ ତାଙ୍କ ମତ ଓ ବକ୍ତବ୍ୟରେ ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲେ । ସେଠାରେ ଭାରତର ମହାନ ଧାର୍ମିକ ପରମ୍ପରା ଓ ନାରୀ ମାନଙ୍କୁ ଭାରତୀୟ ମାନେ କେତେ ସମ୍ମାନ ଦିଅନ୍ତି ତାହା ବିବେକାନନ୍ଦ ତାଙ୍କ ଅଭିଭାଷଣରେ ସାରା ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଥିଲେ । ସ୍ୱାମୀଜୀ ୧୮୯୩ମସିହା ସେପ୍ଟେମ୍ବର ୧୧ରୁ ୨୭ତାରିଖ ପର୍ଯ୍ୟନ୍ତ ରହି ହିନ୍ଦୁ ଧର୍ମ ସମ୍ପର୍କରେ ତାଙ୍କ ମତ ରଖିଥିଲେ ।
ଏହି ଅବସରରେ ଚିକାଗୋ ଧର୍ମ- ସଭାର ଏକ ଅଧିବେଶନରେ ମହାସଭାର ‘ମହିଳା ପରିଚାଳକ ବୋର୍ଡର’ ଅଧ୍ୟକ୍ଷା ମିସେସ ପିଟାର ପାମାରଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଚିକାଗୋର ଜ୍ୟାକସନ ଷ୍ଟ୍ରୀଟସ୍ଥିତ ମହିଳା ସଦନରେ ସ୍ୱାମୀଜୀ ଏହି ବକ୍ତୃତା ଦେଇଥିଲେ । ୨୩ ସେପ୍ଟେମ୍ବର ‘ଚିକାଗୋ ଡେଲି ଇଣ୍ଟର ଓସେନ’ ସମ୍ବାଦପତ୍ରରେ ନିମ୍ନ ଲିଖିତ ସଂକ୍ଷିପ୍ତ ବିବରଣୀ ପ୍ରକାଶିତ ହୋଇଥିଲା ।
ସ୍ୱାମୀ ବିବେକାନନ୍ଦ ଗୋଟିଏ ବିଶେଷ ସଭାରେ ପ୍ରାଚ୍ୟ ନାରୀମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ନିମ୍ନଲିଖିତ ଭାବରେ ଆଲୋଚନା କରିଥିଲେ । କୌଣସି ଜାତିର ଉନ୍ନତିର ଶ୍ରେଷ୍ଠ ମାପକାଠି ହେଉଛି ନାରୀମାନଙ୍କ ପ୍ରତି ତାହାର ମନୋଭାବ । ପ୍ରାଚୀନ ଗ୍ରୀସରେ ସ୍ତ୍ରୀ ଓ ପୁରୁଷଙ୍କର ମର୍ଯ୍ୟାଦାରେ କୌଣସି ପାର୍ଥକ୍ୟ ନଥିଲା, ସମାଜରେ ପ୍ରତ୍ୟେକର ସମାନ ଅଧିକାର ଥିଲା । କୌଣସି ଅବିବାହିତ ହିନ୍ଦୁ ପୁରୋହିତ ହୋଇପାରେ ନାହିଁ । କାରଣ ସେ ଅର୍ଦ୍ଧାଙ୍ଗ ଓ ଅସମ୍ପୂର୍ଣ୍ଣ । ପୂର୍ଣ୍ଣ ସ୍ୱାତନ୍ତ୍ର ହିଁ ପୂର୍ଣ୍ଣ ନାରୀତ୍ୱ । ସତୀତ୍ୱ ଆଧୁନିକ ହିନ୍ଦୁ ନାରୀର ପ୍ରଧାନ ଆଦର୍ଶ । ପତ୍ନୀ ଯେପରି ଗୋଟିଏ ବୃତ୍ତର କେନ୍ଦ୍ରସ୍ଥଳ ଓ ସେହି କେନ୍ଦ୍ରର ସ୍ଥିରତ୍ୱ ନିର୍ଭର କରେ ତାର ସତୀତ୍ୱ ଉପରେ । ଏହି ଆଦର୍ଶର ଚରମ ଅବସ୍ଥାରେ ହିନ୍ଦୁ ବିଧବାମାନେ ସତୀଦାହ ପ୍ରଥା ଅନୁସରଣ କରୁଥିଲେ । ବୋଧ ହୁଏ ପୃଥିବୀର ଅନ୍ୟାନ୍ୟ ଦେଶର ନାରୀ ମାନଙ୍କ ଅପେକ୍ଷା ହିନ୍ଦୁ ନାରୀ ମାନେ ବେଶୀ ଧର୍ମଶୀଳା ଓ ଆଧ୍ୟାତ୍ମିକ ଭାବ ସମ୍ପନ୍ନା । ଯଦି ଆମେ ଚରିତ୍ରର ଏହି ସକଳ ସଦଗୁଣ ରକ୍ଷା କରିପାରୁ ଏବଂ ଆମ ନାରୀ ମାନଙ୍କର ବୁଦ୍ଧିବୃତ୍ତିକୁ ପରିପୁଷ୍ଟ କରିପାରୁ, ତେବେ ଭବିଷ୍ୟତରେ ସେମାନେ ପୃଥିବୀର ଆଦର୍ଶ ସ୍ଥାନୀୟା ହେବେ ।