ମେଲବର୍ଣ୍ଣ: ଚଳିତ ବିଶ୍ଵ କପ୍ରେ ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଖୁବ୍ ଗର୍ଜିବାରେ ଲାଗିଛି। ବିରୋଧୀ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ସୂର୍ଯ୍ୟ ପୁଣି ଥରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥର ସେ ଟି-୨୦ ବିଶ୍ଵ କପ୍ରେ ଜିମ୍ବାଓ୍ଵେ ବିପକ୍ଷରେ ମୁସ୍କିଲ ସମୟରେ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଜିମ୍ବାଓ୍ଵେ ବିପକ୍ଷରେ ଭାରତ ୧୩.୩ ଓଭରରେ ୪ ଓ୍ଵିକେଟ୍ ହରାଇ ୧୦୧ ରନ କରିଥିଲା। ସେହି ସମୟରେ ସୂର୍ଯ୍ୟ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ୨୫ ବଲ୍ରୁ ୬୧ ରନର ଅବିଶ୍ଵସନୀୟ ଇନିଂସ ଖେଳିଛନ୍ତି। ଏଥିରେ ୪ ଛକା ଏବଂ ୬ ଚୌକା ସାମିଲ୍। ଏହି ସମୟରେ ଷ୍ଟ୍ରାଇକ୍ ରେଟ୍ ୨୪୪ ରହିଛି। ସୂର୍ଯ୍ୟଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତୀୟ ଦଳ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଛି।
ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ୨୩ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। କୌଣସି ଟି-୨୦ ବିଶ୍ଵ କପ୍ରେ ଏହା ଚତୁର୍ଥ ଦ୍ରୁତତମ ଅର୍ଦ୍ଧଶତକ। ଟି-୨୦ ବିଶ୍ଵ କପ୍ରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଛି। ସେ ୨୦୦୭ ଟି-୨୦ ବିଶ୍ଵ କପ୍ରେ ୧୨ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡକୁ ଦୁନିଆର କୌଣସି ବ୍ୟାଟସମ୍ୟାନ ଭାଙ୍ଗି ପାରି ନାହାନ୍ତି।
ଟି-୨୦ ବିଶ୍ଵ କପ୍ରେ ଦ୍ରୁତ ଅର୍ଦ୍ଧଶତକ ମାରିଥିବା ଭାରତୀୟ ଖେଳାଳି
ଯୁବରାଜ ସିଂହ- ୧୨ ବଲ୍, ଇଂଲଣ୍ଡ ବିପକ୍ଷରେ ୨୦୦୭ ବିଶ୍ଵ କପ୍
କେଏଲ ରାହୁଲ- ୧୮ ବଲ୍, ସ୍କଟଲାଣ୍ଡ ବିପକ୍ଷରେ ୨୦୨୧ ବିଶ୍ଵ କପ୍
ଯୁବରାଜ ସିଂହ- ୨୦ ବଲ୍, ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୭ ବିଶ୍ଵ କପ୍
ସୂର୍ଯ୍ୟକୁମାର ଯାଦବ- ୨୩ ବଲ୍, ଜିମ୍ବାଓ୍ଵେ ବିପକ୍ଷରେ ୨୦୨୨ ବିଶ୍ଵ କପ୍
ସୂର୍ଯ୍ୟକୁମାର ୧୦୦୦ ରନ ହାସଲ କରିବାରେ ଚଳିତ ବର୍ଷର ପ୍ରଥମ ଖେଳାଳି
ସୂର୍ଯ୍ୟକୁମାର ଜିମ୍ବାଓ୍ଵେ ବିପକ୍ଷରେ ନିଜର ଇନିଂସ ଦମରେ ଆଉ ଏକ ବଡ ରେକର୍ଡ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଏକ ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି। ସୂର୍ଯ୍ୟ ନିଜର ୨୮ତମ ମୁକାବିଲାରେ ୧୦୦୦ ରନ ପୂରଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦୨୬ ରନ କରିଛନ୍ତି। ଦ୍ଵିତୀୟରେ ଅଛନ୍ତି ପାକିସ୍ତାନର ମହମ୍ମଦ ରିଜଓ୍ଵାନ। ସେ ୨୩ଟି ଟି-୨୦ ମ୍ୟାଚ୍ରୁ ୯୨୪ ରନ କରିଛନ୍ତି।
ଚଳିତ ବିଶ୍ଵ କପ୍ରେ ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ୍ରୁ ତୃତୀୟ ଅର୍ଦ୍ଧଶତକ ହାସଲକ କରିଛନ୍ତି। ସେ ନେଦରଲାଣ୍ଡ ବିପକ୍ଷରେ ୫୧ ରନ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୮ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ଚଳିତ ବର୍ଷ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ କରିଥିବା ଖେଳାଳି
ସୂର୍ଯ୍ୟକୁମାର ଯାଦବ- ୨୮ ମ୍ୟାଚ୍, ୧୦୨୬ ରନ
ମହମ୍ମଦ ରିଜଓ୍ଵାନ- ୨୩ ମ୍ୟାଚ୍, ୯୨୪ ରନ
ବିରାଟ କୋହଲି- ୧୯ ମ୍ୟାଚ୍, ୭୩୧ ରନ