ଭୁବନେଶ୍ୱର: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି ସୁରେଶ କୁମାର ହୋତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତାପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପଦ୍ମ ଧରିଛନ୍ତି ବୋଲି ମତପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ଶ୍ରୀ ହୋତାଙ୍କୁ ରାଜ୍ୟ ଉପସଭାପତି ବିରଞ୍ôଚ ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ମୁଖପାତ୍ର ଦିଲୀପ ମହାନ୍ତି ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି । ଗଣମାଧ୍ୟମ ଆଗରେ ଶ୍ରୀ ହୋତା କହିଛନ୍ତି ଯେ ଭ୍ରଷ୍ଟାଚାର, ବ୍ୟଭିଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି ।
ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଜରୁରୀ । ଅଥଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି । ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ମୋଦୀଙ୍କ ସୁଶାସନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ସମାଜର ତୃଣମୂଳସ୍ତରର ଲୋକଙ୍କ ପାଇଁ କାର୍ଯ୍ୟକରିବି ବୋଲି ଶ୍ରୀ ହୋତା କହିଛନ୍ତି ।