ନୂଆଦିଲ୍ଲୀ : ସଦର ଲାବୋରୋଟୋରିଜ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ମୃଦୁପାନୀୟ ‘ଦିଲ୍ ଅଫ୍ଜା’ ବିକ୍ରି ଉପରେ ଦିଲ୍ଲୀ ହାଇକୋର୍ଟ ଯେଉଁ ନିଷେଧାଜ୍ଞା ଜାରି କରିଥିଲେ, ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଗୁରୁବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ‘ରୁହ୍ ଅଫ୍ଜା’ ଏକ ଲୋକପ୍ରିୟ ମୃଦୁପାନୀୟ ହୋଇଥିବାବେଳେ ସେହିନାମରେ ଗ୍ରାହକଙ୍କୁ ବିଭ୍ରାନ୍ତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ।
ସୂଚନାଯୋଗ୍ୟ ହମଦର୍ଦ ଦୱାଖାନା ଦ୍ୱାରା ପ୍ରସ୍ତୁତ ମୃଦୁପାନୀୟ ‘ରୁହ୍ ଅଫ୍ଜା’ ବିଗତ ଏକ ଶତାବ୍ଦୀ ଧରି ବେଶ ଲୋକପ୍ରିୟତା ହାସଲ କରିଆସୁଛି । ୧୯୦୬ରେ ହକିମ ହଫିଜ୍ ଅବଦୁଲ ମଜିଦ ପାରମ୍ପରିକ ୟୁନାନି ମେଡିସିନ୍ ଓ ହର୍ବାଲ ସାମଗ୍ରୀରୁ ‘ରୁହ୍ ଅଫ୍ଜା’ ମୃଦୁପାନୀୟ ପ୍ରସ୍ତୁତ କରିଥିଲେ । ମାର୍କେଟରେ ‘ଦିଲ୍ ଅଫ୍ଜା’ ବ୍ରାଣ୍ଡ୍ ବିକ୍ରି ହେବାପରେ ହମଦର୍ଦ କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ୨୦୨୨ ଡିସେମ୍ବର ୨୧ରେ ‘ଦିଲ୍ ଅଫ୍ଜା’ ବିକ୍ରିକୁ ଅବୈଧ ଘୋଷଣା କରିଥିଲେ ।