16.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶଦେଶର ସମସ୍ତ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ଦେଶର ସମସ୍ତ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଳୀ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବିଷୋଦ୍‌ଗାର ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା କେବଳ ଦିଲ୍ଲୀର ନୁହେଁ ବରଂ ସମଗ୍ର ଭାରତର ସମସ୍ୟା। ସୁତରାଂ ଏଦିଗରେ କେବଳ ଦିଲ୍ଲୀ ସରକାର ନୁହେଁ ବରଂ ଭାରତ ସରକାର ମଧ୍ୟ ପକ୍ଷଭୁକ୍ତ ହେବା ଉଚିତ୍‌। ଏପରି କହିବା ସହ ସୁପ୍ରିମକୋର୍ଟ ସୋମବାର ଭାରତ ସରକାରଙ୍କୁ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ କରିବାକୁ କହିଛନ୍ତି। ଏହାଦ୍ୱାରା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇପାରେ ବୋଲି ମଧ୍ୟ ଖଣ୍ଡପୀଠ ମତ ରଖିଛନ୍ତି।

ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ ଭାରତ ସରକାର ସର୍ବପ୍ରଥମେ ବାୟୁ ପ୍ରଦୂଷଣ ସମସ୍ୟା ରହିଥିବା ଅନ୍ୟ ବଡ଼ ସହରଗୁଡ଼ିକ ତାଲିକା ଦିଅନ୍ତୁ। ସେସବୁ ସହରଗୁଡ଼ିକ ପାଇଁ କିଛି ସଂସ୍ଥାର ଆବଶ୍ୟକ ରହିଛି କି ନାହିଁ, ସେକଥା ଜଣାନ୍ତୁ। ଆମେ ଉକ୍ତ ସଂସ୍ଥାକୁ ସର୍ବଭାରତୀୟ ସ୍ତରକୁ ବୃଦ୍ଧି କରିବା ଉପରେ ବିଚାର କରିବୁ। ଆମେ ସୁପ୍ରିମକୋର୍ଟରେ ବସି କେବଳ ଦିଲ୍ଲୀର ପ୍ରଦୂଷଣ କଥା ଚିନ୍ତା କରୁଛୁ ବୋଲି ଗୋଟିଏ ଭୁଲ ଚିନ୍ତାଧାରା ବାହାରକୁ ଯାଉ ବୋଲି ଆମେ ଚାହୁଁନାହୁଁ। ତେଣୁ ଦିଲ୍ଲୀ ଭଳି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସମଗ୍ର ଦେଶରେ ମଧ୍ୟ ଲାଗୁ କରାଯାଇପାରେ।” ପ୍ରକାଶ, ଦିଲ୍ଲୀର ପଡୋଶୀ ରାଜ୍ୟଗୁଡ଼ିକରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଦିଲ୍ଲୀରେ ମଧ୍ୟ ସ୍ଥିତି ଉତ୍କଟ ହେଉଛି ବୋଲି କୋର୍ଟ ଜାଣିବା ପରେ ଅନ୍ୟ ରାଜ୍ୟର ପ୍ରଦୂଷଣ ସମ୍ପର୍କରେ ତାଲିକା ମାଗିଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଭୟଙ୍କର ହେବାରୁ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (ସିଏକ୍ୟୁଏମ୍‌) ପକ୍ଷରୁ ଆଜି ପୁଣିଥରେ ଗ୍ରାପ୍‌-୩ ଲାଗୁ କରାଯାଇଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଦିଲ୍ଲୀରେ ଆଜି ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୪୫୦ ମଧ୍ୟରେ ଅଛି। ତେଣୁ ପ୍ରଦୂଷଣକୁ ତତ୍କାଳ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ଲାଗୁ କରାଯାଇଛି। ଗ୍ରାପ୍‌-୩ ଅଧୀନରେ ଲାଗୁ ହେଉଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କମିଶନ ପକ୍ଷରୁ କୁହାଯାଇଛି। ଗ୍ରାପ୍‌-୩ ଲାଗୁ ହୋଇଥିବାରୁ ଏବେ ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ଥିବା ସ୍କୁଲଗୁଡ଼ିକ ୫ମ ଶ୍ରେଣୀ ଯାଏ କ୍ଲାସ ହାଇବ୍ରିଡ ମଡେଲରେ ହେବ। ଏହାର ଅର୍ଥ ଅନଲାଇନ କ୍ଲାସ ସୁବିଧା ଥିଲେ ପିଲାମାନେ ଓ ସେମାନଙ୍କ ଅଭିଭାବକ ଏହାର ଫାଇଦା ଉଠାଇ ପାରିବେ। ନଚେତ୍ ସେମାନେ ସ୍କୁଲ ଯାଇ କ୍ଲାସ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking