20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶକେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ସଂଖ୍ୟାଲଘୁ ଚିହ୍ନଟ ପାଇଁ ରାଜ୍ୟଗୁଡ଼ିକ ସହ ଆଲୋଚନା କର

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ସଂଖ୍ୟାଲଘୁ ଚିହ୍ନଟ ପାଇଁ ରାଜ୍ୟଗୁଡ଼ିକ ସହ ଆଲୋଚନା କର

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଚିହ୍ନଟ ସମ୍ପର୍କରେ ଭିନ୍ନ ଭିନ୍ନ ଷ୍ଟାଣ୍ଡ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ବିଚାର ବିମର୍ଷ କରି ୩ ମାସ ମଧ୍ୟରେ ସ୍ଥିତି ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ସୋମବାର ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ ଯେ ସଂଖ୍ୟାଲଘୁଙ୍କୁ ଅଧିସୂଚୀତ କରିବା ଅଧିକାର କେନ୍ଦ୍ର ନିକଟରେ ରହିଛି ଏବଂ ରାଜ୍ୟ ଓ ଅନ୍ୟ ହିତାଧିକାରୀଙ୍କ ସହ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।

ମାତ୍ର ସଂଖ୍ୟାଲଘୁଙ୍କୁ ଅଧିସୂଚୀତ କରିବା ଅଧିକାର ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ରହିଛି ବୋଲି କେନ୍ଦ୍ର ପକ୍ଷରୁ ଗତ ମାର୍ଚ୍ଚ ମାସରେ କୋର୍ଟଙ୍କୁ କୁହାଯାଇଥିଲା । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟର ଏହି ନୂଆ ଆଫିଡେଭିଟ୍‌ରେ ଜଷ୍ଟିସ୍ ଏସ୍‌କେ କୌଲ୍ ଓ ଏମ୍‌ଏମ୍ ସୁନ୍ଦ୍ରେଶଙ୍କ ବେଞ୍ଚ୍ କ୍ଷୁବ୍ଧ ହେବା ସହ ପରବର୍ତ୍ତୀ ଶୁଣାଣିର ତିନିଦିନ ପୂର୍ବରୁ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ହୋଇଥିଲେ ମଧ୍ୟ ସେମାନେ ବିଭିନ୍ନ ସଂଖ୍ୟାଲଘୁ ଯୋଜନାର ଲାଭ ପାଉନାହାନ୍ତି ବୋଲି ଦର୍ଶାଯାଇ ସୁପ୍ରିମ୍‌କୋର୍ଟରେ ଦାୟର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି ।

ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ୧୯୯୨ର ସଂଖ୍ୟାଲଘୁ କମିଶନ୍ ଆଇନ ଓ ୨୦୦୪ ସଂଖ୍ୟାଲଘୁ ଶିକ୍ଷଣ ସଂସ୍ଥା ଆଇନର ସାମ୍ବାଧାନିକ ବୈଧତାକୁ ଏହି ଆବେଦନରେ ଚ୍ୟାଲେଞ୍ଜ୍ କରିଥିଲେ । ତାଙ୍କ କହିବା ଅନୁସାରେ ସମ୍ବିଧାନର ଧାରା ୧୪ ସମସ୍ତଙ୍କୁ ସମାନ ଅଧିକାର ଦେଇଛି ଏବଂ ଧାରା ୧୫ ଭେଦଭାବକୁ ନିଷେଧ କରିଛି । ତେଣୁ ଯେଉଁ ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛନ୍ତି, ସେମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଉ, ଯାହା ଦ୍ୱାରା ସେମାନେ ସଂଖ୍ୟାଲଘୁଙ୍କ ଲାଭ ଉଠାଇ ପାରିବେ ବୋଲି ଆବେଦନରେ ଅନୁରୋଧ କରାଯାଇଛି ।

ଆବେଦନରେ ଦର୍ଶାଯାଇଛି ଯେ ସଂଖ୍ୟାଲଘୁ ଆଇନ ଧାରା-୨ (ସି) ଅନୁସାରେ କେନ୍ଦ୍ର ସରକାର ମୁସଲମାସ, ଖ୍ରୀଷ୍ଟିଆନ୍‌, ସିଖ୍‌, ବୌଦ୍ଧ, ଜୈନ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ଘୋଷିତ କରିଛନ୍ତି । ମାତ୍ର ଏଥିରେ ୟେହୁଦୀ ବାହାଇକୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଇ ନାହିଁ । ସେହିପରି ଦେଶର ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ହୋଇଥିଲେ ମଧ୍ୟ ସେମାନଙ୍କୁ ତାହାର ଲାଭ ମିଳୁନାହିଁ । ଆବେଦନରେ କୁହାଯାଇଛି, ଲଦାଖ୍‌, ମିଜୋରାମ, ଲକ୍ଷାଦ୍ୱୀପ, କଶ୍ମୀର, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ ଓ ମଣିପୁରରେ ହିନ୍ଦୁଙ୍କ ଜନସଂଖ୍ୟାରେ ହ୍ରାସ ଘଟିଛି । ତେଣୁ ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁ ସଂଖ୍ୟାଲଘୁ ହୋଇଥିବାରୁ ସେମାନଙ୍କୁ ସଂଖ୍ୟାଲଘୁ ସୁବିଧା ମିଳିବା କଥା, ମାତ୍ର ସେମାନଙ୍କ ସୁବିଧା ରାଜ୍ୟର ସଂଖ୍ୟାଗରିଷ୍ଠଙ୍କୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking